ଭୁବନେଶ୍ବର:ରାଜ୍ୟରେ ବାଜି ସାରିଲାଣି ପଞ୍ଚାୟତ ନିର୍ବାଚନ ନେଇ ବିଗୁଲ । ଆନୁଷ୍ଠାନିକ ନହେଲେ ବି ଅଣଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ । ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସେପଟେ ବଳ କସିଲେଣି ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ । ମହିଳା ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ଲାଗି ଗୋଟି ଚଲେଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ମିଶନ ଶକ୍ତି ଏସଏଚଜିଙ୍କ ଲାଗି ପ୍ରାୟ 453 କୋଟି ଟଙ୍କାର କୋଭିଡ଼ ସହାୟତା ପ୍ୟାକେଜ ଘୋଷଣା କରିଛି ବିଜେଡି ଶାସିତ ରାଜ୍ୟ ସରକାର । ମହିଳା ଭୋଟରଙ୍କୁ ଆକୃଷ୍ଟ କରି ପଞ୍ଚାୟତ ନିର୍ବାଚନ ହାତେଇବା ଲାଗି ବିଜେଡିର ଏହି ରାଜନୈତିକ ମହତ୍ତ୍ବକାଂକ୍ଷୀକୁ ବାରିଛି ବିଜେପି । ସେପଟେ ଦରଦାମ ବୃଦ୍ଧି, ମହିଳାଙ୍କ ସମସ୍ୟାକୁ ପ୍ରସଙ୍ଗକୁ ନିର୍ବାଚନୀ ଏଜେଣ୍ଡା କରିବାକୁ ପ୍ରସ୍ତୁତ ମହିଳା କଂଗ୍ରେସ ।
ମହିଳା ଭୋଟର ଗେମ ଚେଞ୍ଜର !
କାହିଁକି ମହିଳା ଭୋଟରଙ୍କ ଉପରେ ଫୋକସ କରୁଛନ୍ତି 3 ପ୍ରମୁଖ ରାଜନୈତିକ ଦଳ ? କାହିଁକି ନା କ୍ରମାଗତ ଭାବେ ଗତ ନିର୍ବାଚନମାନଙ୍କରେ ଗେମ ଚେଞ୍ଜର ହୋଇଛନ୍ତି ମହିଳା ଭୋଟର । ପଞ୍ଚାୟତ ନିର୍ବାଚନରେ 853 ଜିଲ୍ଲା ପରିଷଦ, 6802 ସରପଞ୍ଚ, 6801 ପଞ୍ଚାୟତ ସମିତି, 92052 ୱାର୍ଡ ମେମ୍ବର ପଦ ଲାଗି ନିର୍ବାଚନ ହେବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସବୁ ପଦର ଅଧା ଅର୍ଥାତ 50 ପ୍ରତିଶତ ମହିଳାଙ୍କ ଲାଗି ସଂରକ୍ଷିତ ହୋଇଛି । 2021 ଜନଗଣନା ଅନୁସାରେ ରାଜ୍ୟରେ 2 କୋଟି 33 ଲକ୍ଷ ମହିଳା ଅଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ 2019 ସୁଦ୍ଧା 1,39,87,183 ମହିଳା ଭୋଟର ପଞ୍ଜିକୃତ ଅଛନ୍ତି । ସେମାନଙ୍କ ମଧ୍ୟରୁ 1,04,37,534 ମହିଳା 2019 ନିର୍ବାଚନରେ ମତଦାନ କରିଥିଲେ । ମହିଳାଙ୍କ ଭୋଟିଂ ପ୍ରତିଶତ 74.98 ଥିଲା । ମହିଳାଙ୍କ ତୁଳନାରେ ପୁରୁଷଙ୍କ ଭୋଟିଂ ପ୍ରତିଶତ କମ ରହିଥିଲା । ପୁରୁଷ ଭୋଟରଙ୍କ ସଂଖ୍ୟା 1,51,64,146 ଥିବାବେଳେ ଭୋଟ ଦେଇଥିଲେ 1,09,98,963 । ପୁରୁଷ ଭୋଟିଂ ପ୍ରତିଶତ 71 ପ୍ରତିଶତ ରହିଥିଲା ।
ବିଜେଡିର ବଳ, ମିଶନ ଶକ୍ତି ଦଳ
ବିଜେଡି ଶାସିତ ଓଡ଼ିଶା ସରକାରଙ୍କର ମିଶନ ଶକ୍ତି SHG ଏକ ବଡ଼ ଭୋଟ ବ୍ୟାଙ୍କ । ଏଥିରେ କାହାର ସନ୍ଦେହ ନାହିଁ । କାହିଁକି ନା ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 70 ଲକ୍ଷରୁ ଅଧିକ ମହିଳା ଓ ଯୁବତୀ ସାମିଲ ଅଛନ୍ତି । ଆଉ ଏହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ପଞ୍ଚାୟତ ନିର୍ବାଚନ ଦଖଲ କରିବାକୁ ଯୋଜନା କରିଛି ବିଜେଡି । ଏ କଥା ବି କାହାକୁ ଅଛପା ନାହିଁ । କିଛିଦିନ ତଳେ ଏହି ମିଶନ ଶକ୍ତି ଗୋଷ୍ଠୀଙ୍କ ଜରିଆରେ ମହିଳା କାର୍ଡ ଖେଳିଛନ୍ତି ରାଜ୍ୟ ସରକାର ।
453 କୋଟି ଟଙ୍କାର କୋଭିଡ଼ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ସରକାର । 338ଟି ବ୍ଲକ୍ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର 'ମିଶନ ଶକ୍ତି ଭବନ' ନିର୍ମାଣ ପାଇଁ 50 ଲକ୍ଷ ଟଙ୍କା ଲେଖାଏ 169 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ 84.50 କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନ କରାଯାଇଛି । ତା ଛଡା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ 200 କୋଟି ଟଙ୍କା ପ୍ରଦାନ କରାଯିବ ।