ଭୁବନେଶ୍ବର: ଆଲବମରେ ଅଭିନୟ କରିବାକୁ ଡାକି ନେଇ ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ମାମଲା । ଏହି ମାମଲାରେ ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତ ତଥା ପ୍ରଯୋଜକକୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛି ସ୍ବରାଜ ବିଶ୍ବାଳ । ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ହେବା ପରେ ସ୍ବରାଜ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲା । ଦୀର୍ଘ ଏକ ମାସ କାଳ ବାହାର ରାଜ୍ୟରେ ଲୁଚିବା ପରେ ଶେଷରେ ଓଡିଶା ଫେରିଥିଲା ଏବଂ ଚେହେରା ବଦଳାଇ ଖୋର୍ଦ୍ଧାର ଏକ ଭଡା ଘରେ ଲୁଚିଥିଲା । ଏନେଇ ଖବର ପାଇବା ପରେ କମିଶନରେଟ ପୋଲିସ ତାକୁ ଗିରଫ କରିଛି ।
ସୂଚନା ମୁତାବକ, ଗତ ୩ ତାରିଖରେ ପୀଡିତା ତମାଣ୍ଡୋ ଥାନାରେ ଏହି ଦୁଷ୍କର୍ମ ଅଭିଯୋଗ କରିଥିଲେ । ପ୍ରଯୋଜକ ସ୍ବରାଜ ବିଶ୍ବାଳ ଏକ କାହାଣୀର ମ୍ୟୁଜିକାଲ ଭିଡିଓ ପ୍ରସ୍ତୁତ ପାଇଁ ନାବାଳିକା ଅଭିନେତ୍ରୀଙ୍କୁ ଭୁବନେଶ୍ୱର ଡକାଇଥିଲେ । ଭରତପୁର ଥାନା ଅଞ୍ଚଳରେ ପ୍ରଯୋଜକ ରହୁଥିବା ଭଡା ଘରେ ଏକ ଅପହରଣ ସିନର ସୁଟିଂ ଥିବା କହିଥିଲେ ଏବଂ ସୁଟିଂ ଆଳରେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ । ପ୍ରଯୋଜକଙ୍କ ସହ କ୍ୟାମେରାମ୍ୟାନ ମଧ୍ୟ ଦୁଷ୍କର୍ମରେ ସାମିଲ ହୋଇଥିଲେ । ଉଭୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଧମକ ଚମକ ଦେଇ ଘରେ ଛାଡି ଦେଇଥିଲେ ।