ହାଇଦ୍ରବାଦ:ଆଜି ବିଶ୍ୱ ବିନ୍ଧାଣିଙ୍କ ପୂଜା(Vishwakarma Puja)... କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ନିର୍ମାଣର ସେ ଦେବତା । ଆଜି ସେହି ବିମାନ ରଥ, ଆୟୁଧ ଓ ଅସ୍ତ୍ରର ନିର୍ମାଣକର୍ତ୍ତାଙ୍କୁ ପୂଜିବ ସାରା ବିଶ୍ବ । ବିଶ୍ବକର୍ମା ହେଉଛନ୍ତି ବୈଦିକ ଦେବତା । ଋଗବେଦ ଅନୁସାରେ ବିଶ୍ବକର୍ମା ହେଉଛନ୍ତି ବିଶ୍ବର ଦୈବୀଯନ୍ତ୍ରୀ । ଉପନିଷେଦ ଅନୁୟାୟୀ ‘ବ୍ରାହ୍ମଣ’ ଏବଂ ‘ପୁରୁଷ’ ଚିନ୍ତାଧାରାର ପ୍ରବର୍ତ୍ତକ ମଧ୍ୟ ହେଉଛନ୍ତି ବିଶ୍ବକର୍ମା । ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ବିଶ୍ବକର୍ମାଙ୍କ ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ରହିଛି ।
କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ ଦେବଶିଳ୍ପୀ ବିଶ୍ବକର୍ମା । ଲୋକେ ତାଙ୍କୁ ତ୍ବଷ୍ଟା ନାମରେ ମଧ୍ୟ ଜାଣନ୍ତି । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ବୋଲି କୁହାଯାଏ ।