ଭୁବନେଶ୍ବର:ଲଣ୍ଡନରେ ପ୍ରତିଷ୍ଠା ହୋଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପୁରୀ ଶ୍ରୀ ଜଗନ୍ନାଥ ମଣ୍ଡଳର ବିଶିଷ୍ଟ ପୁରୋହିତମାନଙ୍କ ମାର୍ଗଦର୍ଶନରେ ବିସ୍ତୃତ ରୀତିନୀତିରେ ଦେବତାମାନଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି । ଏହା ସହ 2024 ସୁଦ୍ଧା 4 ମିଲିୟନ ଡଲାର ମୂଲ୍ୟରେ ଲଣ୍ଡନରେ ଏକ ବର୍ଣ୍ଣାଢ୍ୟ ମନ୍ଦିର ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି ।
ଶ୍ରୀ ଜଗନ୍ନାଥ ମନ୍ଦିରର ଦଇତାପତିଙ୍କ ପରାମର୍ଶ କ୍ରମେ ଧାର୍ମିକ ରୀତିନୀତିରେ ଏକ ପବିତ୍ର ନିମ ଗଛର ମୂଳରୁ ଦେବତାମାନଙ୍କର ମୂର୍ତ୍ତି ଗଢା ହୋଇଛି । ପରେ ଭାବ ଭକ୍ତିର ସହ ବ୍ରିଟେନର ମନ୍ଦିରକୁ ଏହା ପଠା ଯାଇଥିଲା । ଏକ ସପ୍ତାହ ବ୍ୟାପୀ ଉତ୍ସବ ଆୟୋଜନ କରାଯାଇ ବିଗ୍ରହ ସ୍ଥାପନା କରାଯାଇଛି । କାର୍ଯ୍ୟକ୍ରମରେ ବ୍ରିଟେନର ବିଶିଷ୍ଟ ବ୍ୟକ୍ତିତ୍ବ, ବିଭିନ୍ନ ଧାର୍ମିକ ସଂଗଠନର ପ୍ରମୂଖ, ମନ୍ଦିର ଏବଂ ଗୁରୁଦ୍ବାରର ପ୍ରତିନିଧୀମାନେ ଯୋଗ ଦେଇଥିଲେ । ପରେ ରୀତିନୀତି ଅନୁସାରେ ଦେବତାମାନଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ବ୍ରିଟେନରେ ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ ସାଉଥ ହଲ, ଶ୍ରୀ ରାମ ମନ୍ଦିର ସହଭାଗିତାରେ ଦେବତା ପ୍ରତିଷ୍ଠା ହୋଇଛନ୍ତି ।
ଏହା ସହ ଗ୍ରେଟର ଲଣ୍ଡନ ଅଞ୍ଚଳରେ ବ୍ରିଟେନର ପ୍ରଥମ ସ୍ବତନ୍ତ୍ର ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଯୋଜନା ଘୋଷଣା ହୋଇଛି । ଓଡିଶାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଥାରେ ଏହି ମନ୍ଦିର ନିର୍ମାଣ ହେବ । 2024 ସୁଦ୍ଧା 4 ମିଲିୟନ ଡଲାରର ଆନୁମାନିକ ମୂଲ୍ୟରେ ଏହା ନିର୍ମାଣ ହେବ । ଟ୍ରଷ୍ଟ ସକ୍ରିୟ ଭାବେ ଲଣ୍ଡନର ଉତ୍ତର- ପଶ୍ଚିମରେ ଥିବା M25 କରିଡର ଅଞ୍ଚଳରେ ଏକ ବଡ ଜମି ଖୋଜୁଛି । ଏହା ସହ ପାଣ୍ଠି ସଂଗ୍ରହ କାର୍ଯ୍ୟ ଜାରି ରହିଛି ।
ଏ ନେଇ ଶ୍ରୀଜଗନ୍ନାଥ ସୋସାଇଟି ବ୍ରିଟେନର ଚେୟାରମ୍ୟାନ ଡକ୍ଟର ସହଦେବ ସ୍ବାଇଁ ସୂଚନା ଦେଇଛନ୍ତି । ଲଣ୍ଡନରେ ଏକ ସ୍ଵତନ୍ତ୍ର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ପୁରୀ ମହାରାଜାଙ୍କ ଆଶୀର୍ବାଦ ଗ୍ରହଣ କରିଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବ୍ରିଟେନର ବ୍ୟବସାୟ ତଥା ଶିଳ୍ପପତିମାନଙ୍କର ଏଥିପାଇଁ ସମର୍ଥନ ପ୍ରଦାନ କରିଛନ୍ତି ।