ଓଡିଶା

odisha

ETV Bharat / city

ଆଜିଠୁ ରାଜ୍ୟରେ ଲକଡାଉନ 3.0 ଲାଗୁ, 3 ଜିଲ୍ଲାରେ ଆଂଶିକ କୋହଳ - ଲକଡାଉନ 3.0

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଲକଡାଉନ 3.0 । ତେବେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ତୃତୀୟ ଥର ପାଇଁ ଲକଡାଉନ ଅବଧିକୁ ଜୁନ 17 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅଧିକ ପଢନ୍ତୁ...

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଲକଡାଉନ 3.0
ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଲକଡାଉନ 3.0

By

Published : Jun 1, 2021, 11:01 AM IST

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଲକଡାଉନ 3.0 । ତେବେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ତୃତୀୟ ଥର ପାଇଁ ଲକଡାଉନ ଅବଧିକୁ ଜୁନ 17 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଲକଡାଉନ ଜୁନ 1 ସକାଳ 5ଟାରୁ ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଏହାଛଡ଼ା କୋଭିଡ ଟୀକାକରଣ ଏବଂ ଟେଷ୍ଟିଂ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ନିର୍ଦ୍ଦିଷ୍ଟ କେନ୍ଦ୍ରଗୁଡ଼ିକରେ ରଖାଯାଇଥିବା ପ୍ରୋଟୋକଲ ଅନୁଯାୟୀ ଜାରି ରହିବ । କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ସାରା ରାଜ୍ୟ ବନ୍ଦ ରହିବ । ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ରାଜ୍ୟରେ ସଟଡାଉନ ଜାରି ରହିବ । ଯେକୌଣସି ଉପାୟରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଓଡିଶାରେ ପ୍ରବେଶ କରିବା ପାଇଁ ଟୀକାକରଣ ପ୍ରମାଣପତ୍ର କିମ୍ବା 48 ଘଣ୍ଟା ମଧ୍ୟରେ ମିଳିଥିବା କୋଭିଡ ନେଗେଟିଭ୍ ରିପୋର୍ଟ ଦେଖେବାକୁ ପଡିବ । ଏହିପରି ରିପୋର୍ଟ ବିନା ଆସୁଥିବା ଲୋକଙ୍କୁ ବାଧ୍ୟତାମୂଳକ ଭାବରେ 7 ଦିନ କ୍ବାରେଣ୍ଟାଇନରେ ରହିବାକୁ ପଡିବ ।

ଅନ୍ୟପଟେ ଗତ କିଛି ସପ୍ତାହ ହେଲା କୋଭିଡ ସଂକ୍ରମଣର ହ୍ରାସ ପରେ ରାଜ୍ୟ ସରକାର ତିନୋଟି ଜିଲ୍ଲା, ଯଥା- ନୂଆପଡା, ଗଜପତି ଏବଂ ସୁନ୍ଦରଗଡରେ ଲକଡାଉନ କଟକଣାରେ କିଛିଟା କୋହଳ କରାଯାଇଛି । ସଂପୃକ୍ତ ଜିଲ୍ଲାର ମଲ୍, ବଜାର, ହାଟ, ସେଲୁନ, ବିଉଟି ପାର୍ଲରକୁ ବାଦ ଦେଇ ସମସ୍ତ ପ୍ରକାର ଦୋକାନ ସୋମବାରରୁ ଶୁକ୍ରବାର (ସକାଳ 7 ରୁ 1 ଟା) ପର୍ଯ୍ୟନ୍ତ ଖୋଲା ରହିବାକୁ ଅନୁମତି ଦିଆଯାଇଛି । ତେବେ ଯଦି ଏଠାରେ ସଂକ୍ରମଣ ପୁଣି ବଢ଼ିବା ପରିଲକ୍ଷିତ ହୁଏ, ତେବେ ଏହି କୋହଳ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି । ବାକି ୨୭ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ରୁ ୧୧ଟା ଯାଏଁ ଖୋଲା ରହିବ । ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ ।

ସେହିପରି ଖାଦ୍ୟ, ଔଷଧ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ‘ହୋମ୍ ଡେଲିଭରି’ ଉପରେ କୌଣସି କଟକଣା କରାଯାଇ ନାହିଁ । ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ଜାରି ହୋଇଥିବା କଟକଣା ବଳବତ୍ତର ରହିବ । ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ । ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ ଦିଆଯାଇପାରିବ । ଏହାସହ ଜରୁରୀକାଳୀନ ଆବଶ୍ୟକତା ବ୍ୟତୀତ ଲକଡାଉନ ଅବଧି ମଧ୍ୟରେ ରାଜ୍ୟ ବାହାରୁ ଏବଂ ରାଜ୍ୟ ମଧ୍ୟର ପରିବହନ ସେବା ସ୍ଥଗିତ ରହିବ । କିନ୍ତୁ ସମସ୍ତ କୃଷି, ଶିଳ୍ପ, ନିର୍ମାଣ କାର୍ଯ୍ୟ କରିବାକୁ ଦିଆଯାଇଛି ଅନୁମତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details