ଓଡିଶା

odisha

ETV Bharat / city

ଶେଷ ରଜ: ମାଟି ଓ ମୌସୁମୀର ମିଳନ ପର୍ବ - ଶେଷ ରଜ

ରଜ ସଜବାଜରେ ଆଜି ଶେଷ ଦିନ । ପହିଲି ରଜ, ରଜ ସଂକ୍ରାନ୍ତି ପରେ ଶେଷ ରଜ ବା ଭୂମିଦାହନ । କୋରୋନା ପାଇଁ ଚଳିତ ବର୍ଷର ରଜ ସିନା ଫିକା ପଡିଲା ହେଲେ ଝିଅ-ବୋହୂଙ୍କ ସଜରେ ଟିକେ ବି କମ ରହିଲା ନାହିଁ । ଅଧିକ ପଢନ୍ତୁ...

ଶେଷ ରଜ: ମନଭରି ଉପଭୋଗ କରୁଛନ୍ତି ଝିଅ-ବୋହୂମାନେ
ଶେଷ ରଜ: ମନଭରି ଉପଭୋଗ କରୁଛନ୍ତି ଝିଅ-ବୋହୂମାନେ

By

Published : Jun 16, 2020, 7:19 AM IST

ଭୁବନେଶ୍ବର: ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ । ତିନି ଧରି ପାଳିତ ହେଉଥିବା ଏହି ପର୍ବର ଆଜି ହେଉଛି ଶେଷ ରଜ । ପହିଲି ରଜ, ରଜ ସଂକ୍ରାନ୍ତି ପରେ ପାଳନ ହୁଏ ଶେଷ ରଜ । ପୁଣି ଯାଇ ଆର ବର୍ଷକୁ ଅପେକ୍ଷା । ତେଣୁ ଗାଁର ସହର ସବୁଠି ଉତ୍ସବମୁଖର ।

ପହିଲି ରଜକୁ ଉପଭୋଗ କରିବା ପରେ ରଜ ସଂକ୍ରାନ୍ତିର ମାହୋଲ ବେଶ ଜମେ। ତୃତୀୟ ଦିନ ବସୁମତୀ ସ୍ନାନ ପାଳିତ ହୋଇଥାଏ । ସେ ଦିନ ଘରେ ଘରେ ମା’ଧରିତ୍ରୀଙ୍କ ପୂଜା କରାଯାଏ । ଝିଅ-ବୋହୂମାନେ ଗାଧେଇ, ପାଦରେ ଅଳତା ନାଇ, ନୂଆ ବସ୍ତ୍ରରେ ନୂଆ ନୂଆ ବେଶରେ ସଜବାଜ ହେଇଛନ୍ତି ।

ପୁରୀ ରୁ ପଲ୍ଲୀ ଯାଏଁ ମହକୁଛି ପିଠାପଣାର ବାସ୍ନାରେ । । ଦୋଳି ଖେଳ ସାଙ୍ଗ ରଜଗୀତରେ ଗାଁରୁ ମୁଖରିତ ହେଉଛି । କେବଳ ଝିଅ-ବୋହୂମାନେ ନୁହଁନ୍ତି ପୁରୁଷମାନେ ମଧ୍ୟ ରଜର ଏହି ତିନି ଦିନକୁ ବେଶ ଉପଭୋଗ କରନ୍ତି । ତାସ, ଲୁଡୁ ଭଳି ଭେଳିକି ଭେଳି ଖେଳରେ ମାତିଥାନ୍ତି । ସେହିପରି ସହରରେ ମଧ୍ୟ ପର୍ବକୁ ବଞ୍ଚାଇବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜ କାର୍ଯ୍ୟକ୍ରମ କରାଯାଇଥାଏ । ଏଠାରେ ଓଡିଆଙ୍କ ପ୍ରିୟ ପିଠା ପଣା ଠାରୁ ଦୋଳି ଓ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଥାଏ ।

ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ତେଣୁ ମା’ମାଟିକୁ ଝିଅମାନଙ୍କ ସହ ତୁଳନା କରାଯାଇ ସେମାନଙ୍କୁ ବିଶ୍ରାମ ଦିଆଯାଏ ।

କୃଷକ ଭାଇଙ୍କ ପାଇଁ ବେଶ ଖାସ ରଜ । କ୍ଷେତରେ ଧାନ ବୁଣି ଏହି ଦିନକୁ ସେ ଅପେକ୍ଷା କରିଥାଏ । ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ । ପୃଥିବୀମାତାକୁ ନାରୀ ସହ ତୁଳନା କରି ପୂର୍ଣ୍ଣ ବିଶ୍ରାମ ଦିଆଯାଏ । ଏଥିସହ କୃଷିକର୍ମରୁ ଅବ୍ୟାହତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଛନ୍ତି କୃଷକସମାଜ । ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡିଶାର ପୁରପଲ୍ଲୀ ।

କହିବାକୁ ଗଲେ, ଚଳିତ ବର୍ଷ ରଜକୁ ଫିକା କରିଦେଇଛି କୋରୋନା । ଆଗ ପରି ଝିଅମାନେ ଦୋଳି ଖେଳିବାକୁ ଯିବା ସାଙ୍ଗସାଥୀ ଖେଳି ଯାଉଥିଲେ । ହେଲେ ଏଥର କଟକଣା ଲଗାଇ ଦେଇଛି କୋରୋନା । ଝିଅ-ବୋହୂଙ୍କ ସଜବାଜ ମୁହଁକୁ ମଧ୍ୟ ଅଳ୍ପାକାଂଶରେ ଫିକା ପଡିଛି । କାରଣ ମୁହଁରେ ମାସ୍କ ରହିଛି । ଏପରିକି ସାମାଜିକ ଦୂରତା ଓ ହାତରେ ସାନିଟାଇଜ ଧରି ରଜ ପାଳନ କରାଯାଇଛି । ସହରୀ ଝିଅ ବି ସାଙ୍ଗସାଥୀଙ୍କ ସହ ବୁଲି ଯାଇନପାରି ଘରେ ନୂଆ ପୋଷାକ ପିନ୍ଧି ରଜ ପାଳିଛି । ତେଣୁ ଆଗାମୀ ବର୍ଷ ଯେମିତି କୋରୋନା ଯିବ ଓ ମନଭରି ଏ ଗଣପର୍ବକୁ ମିଳି ମିଶି ପାଳନ କରିବେ ସମସ୍ତେ କାମନା କରିଛନ୍ତି ।

ABOUT THE AUTHOR

...view details