ପୁରୀ: ଆଜିଠୁ ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ ମାସ । ଯୁଗ ମଧ୍ୟରେ ସତ୍ୟ ଯୁଗ ଯେମିତି ଶ୍ରେଷ୍ଠ ଯୁଗ ସେହିପରି ମାସ ମଧ୍ୟରେ କାର୍ତ୍ତିକ ମାସକୁ ସବୁଠାରୁ ଶ୍ରେଷ୍ଠ ମାସ ବା ଧର୍ମ ମାସ କୁହାଯାଏ । ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ଠୁ ସହର ପର୍ଯ୍ୟନ୍ତ ସମସ୍ତେ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । କୁହାଯାଏ ଏହା ଧର୍ମ ମାସ ହୋଇଥିବାରୁ ବଗ ମଧ୍ୟ ମାଛ ଖାଏ ନାହିଁ । ସେହିପରି ଏହି ଧର୍ମମାସ ପାଳୁଥିବା ଶ୍ରଦ୍ଧାଳୁ ଏକ ମାସ ଆମିଷକୁ ବାରଣ କରି ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତି । ଏହି ମାସର ଶେଷ ୫ଦିନ ବ୍ରତ ରଖାଯାଏ, ଯାହାକୁ ପଞ୍ଚୁକ କୁହାଯାଏ । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁକା ପୂଜା ଇତ୍ୟାଦି କରାଯାଏ ।
ପରମ୍ପରା ଓ ବିଶ୍ବାସକୁ ଆଧାର କରି ପୁରପଲ୍ଲୀରେ ମହିଳା ମାନେ ମାସସାରା ପାଳନ କରନ୍ତି କାର୍ତ୍ତିକ ବ୍ରତ । ଧର୍ମମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ଭୋର ସମୟରେ ସମସ୍ତ ମହିଳା ଓ ପୁରୁଷ ସ୍ନାନ କରି ଦେବପୂଜା ଓ ଦାନ ଧର୍ମରେ ସମୟ ଅତିବାହିତ କଲେ ପୁଣ୍ୟ ଅର୍ଜନ କରନ୍ତି ବୋଲି ବିଶ୍ବାସ ରହିଛି । ଏହି ମାସରେ ବିଧବା ମହିଳା(ହବିଷ୍ୟାଳି) ମାନେ ହବିଷ୍ୟାନ୍ନ ଗ୍ରହଣ କରନ୍ତି କରିଥାନ୍ତି । ହିନ୍ଦୁ ବ୍ରାହ୍ମଣ ଘରର ବିଧବାଙ୍କ ପାଇଁ ହବିଷ୍ୟ ପାଳନ ଏକ ବିଧି ଭାବେ ପ୍ରଚଳିତ । ହବିଷ୍ଯାଳି ମାନେ ଭୋରୁ ସ୍ନାନ ପରେ ଚଉରାମୂଳେ ସୂର୍ଯ୍ୟ ପୂଜା କରି କାର୍ତ୍ତିକ ମାସର ମାହାତ୍ମ୍ୟ ପାଠ କରନ୍ତି । କାର୍ତ୍ତିକ ମାସର ପ୍ରତି ସୋମବାର ଶିବଙ୍କୁ ପୂଜା କରାଯାଏ । ଏଥି ପାଇଁ ପ୍ରତି ସୋମବାର ଶୈବ ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ ।
ଗାଁରେ କାର୍ତ୍ତିକ ମାସ
ଗାଁ ଗହଳିରେ ଏହି ମାସକୁ ଅତି ନିଷ୍ଠାର ସହ ପାଳନ କରନ୍ତି । ମାସ ସାରା ଗ୍ରାମର ଆବାଳ ବୃଦ୍ଧ ବନିତା ପାହାନ୍ତା ସମୟରେ ସ୍ନାନ କରିଥାନ୍ତି । ସ୍ନାନ ସାରି ଚଉରାରେ ବିଭିନ୍ନ ପ୍ରକାର ଓ ରଙ୍ଗବେରଙ୍କର ମୁରୁଜ ଆଙ୍କିଥାନ୍ତି । ବିଶ୍ବାସ ରହିଛି ଏପରି କଲେ ପୁଣ୍ୟ ଅର୍ଜନ ହୋଇଥାଏ । ସେହିପରି ହବିଷ୍ୟାଳି ମାନେ ମଧ୍ୟ ଚଉରା ନିକଟରେ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଆଉ ମାସର ଶେଷ ଦିନରେ ପାହାନ୍ତାରୁ ଉଠି ନଦୀ କିମ୍ବା ପୋଖରୀରେ ଡଙ୍ଗା ଭସାଇବା ପରେ ଶୈବ ପୀଠ ଗୁଡିକୁ ଦର୍ଶନ କରିବାକୁ ଯାଇଥାନ୍ତି । ଅନେକ ସ୍ଥାନରେ କାର୍ତ୍ତୀକଙ୍କ ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଏ ।
ପଞ୍ଚୁକ
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ) ପାଳନ କରାଯାଏ । ଏହା ମହାପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବା ବିଷ୍ଣୁପଞ୍ଚକ ଭାବେ ମଧ୍ୟ ଜଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ସାତ୍ତ୍ୱିକ ଭୋଜନ ଆହାର କରିଥାନ୍ତି ।
ଶ୍ରୀମନ୍ଦିରରେ ପଞ୍ଚୁକ