ଓଡିଶା

odisha

ଚିକିତ୍ସାଧିନ ଅବସ୍ଥାରେ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

By

Published : Sep 28, 2022, 11:11 PM IST

Updated : Sep 29, 2022, 7:53 AM IST

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ । 90 ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଦେହାନ୍ତ ହୋଇଥିବା ନେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ପୂର୍ବତନ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । 90 ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ଚିକିତ୍ସାଧିନ ଅବସ୍ଥାରେ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । 90 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତାଙ୍କ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ଗୁରୁବାର ପୁରୀରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ସେ 3 ଥର ଲୋକସଭା ଓ ଥରେ ରାଜ୍ୟସଭା ସାଂସଦ ଥିଲେ । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଭାବରେ କମ ଜଣେ ସୁସାହିତ୍ୟିକା ନେତ୍ରୀ ଭାବେ ବେଶୀ ପରିଚିତ ଥିଲେ ।

୭ ଏପ୍ରିଲ ୧୯୩୨ରେ ଆସ୍କାରେ ଜନ୍ମ ଗ୍ରହଣ କରିଥିବା ଜୟନ୍ତୀ ପଟ୍ଟନାୟକ ଜଣେ ସୁସାହିତ୍ୟିକ ଓ ଜନନେତ୍ରୀ ଥିଲେ । ଏହାସହ ଜାତୀୟ ମହିଳା କମଶନଙ୍କ ପ୍ରଥମ ଅଧ୍ୟକ୍ଷା ହୋଇଥିଲେ । ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ସହ ଜଣେ ସୁବକ୍ତା ଥିଲେ । ଏହାସହ ରାଜ୍ୟର ପ୍ରଥମ ମହିଳା ସାଂସଦ ଭାବେ ଲୋକସଭାକୁ ୧୯୮୧ ମସିହାରେ କଂଗ୍ରେସ ଟିକେଟରୁ କଟକ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ନିଜ ରାଜନୀତି ଜୀବନରେ ଜୟନ୍ତୀ ମୋଟ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ପ୍ରଥମେ ୧୯୮୧ରେ ପ୍ରଥମ ମହିଳା ଭାବେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ପାଇଁ ୧୯୮୪ ରେ ନିର୍ବାଚିତ ହୋଇଥିଲେ । ପରେ ୧୯୯୮ ମସିହାରେ ବ୍ରହ୍ମପୁର ଆସନରୁ ଲୋକସଭା ଯାଇଥିବା ବେଳେ ୧୯୯୬ ମସିହାରେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ପ୍ରଥମ ଓଡିଆ ଭାବେ ସେ ୧୯୮୭ ମସିହାରେ ଅଖିଳ ଭାରତୀୟ ମହିଳା କଂଗ୍ରେସର ସଭାନେତ୍ରୀ ମଧ୍ୟ ହୋଇଥିଲେ । ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ପ୍ରଥମ ଓଡିଆ ମହିଳା ଭାବେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ହୋଇଥିଲେ ।

ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ସାଂସଦ, ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ତଥା ସୁସାହିତ୍ୟିକା ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ । ଓଡ଼ିଆ ସାହିତ୍ୟ ଜଗତ ସହ ନାରୀ ସଶକ୍ତିକରଣ ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଟ୍ବିଟ କରି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଜୟନ୍ତୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ସାଂସଦ, ବିଶିଷ୍ଟ ରାଜନେତ୍ରୀ ତଥା ସୁସାହିତ୍ୟିକା ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ଶୋକ ପ୍ରକାଶ କରି ରାଜ୍ୟପାଳ କହିଛନ୍ତି, ଓଡ଼ିଶାର ସାରସ୍ବତ ଜଗତ ତଥା ଜନଜୀବନକୁ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ କହିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜୟନ୍ତୀ ପଟ୍ଟନାୟକ ରାଜନୀତି ସହ ସମାଜସେବାରେ ନିଜକୁ ସମର୍ପିତ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 29, 2022, 7:53 AM IST

ABOUT THE AUTHOR

...view details