ଓଡିଶା

odisha

By

Published : Jul 22, 2022, 7:11 PM IST

ETV Bharat / city

ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକ ପ୍ରବେଶ ପ୍ରସଙ୍ଗ, ସ୍ଥିତି ଦେଖି ଆଗାମୀ ଅଧିବେଶନରେ ନିଷ୍ପତ୍ତି

ବିଧାନସଭାର ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକ ପ୍ରବେଶ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଓ ଶୂନ୍ୟକାଳରେ ଉଦବେଗ ପ୍ରକାଶ ପାଇଛି । ଉଭୟ ବିରୋଧୀ ଦଳ ସରକାର ଓ ବାଚସ୍ପତିଙ୍କୁ ଘେରିଛନ୍ତି । ସ୍ଥିତି ଦେଖି ଆଗାମୀ ଅଧିବେଶନରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ

ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକ ପ୍ରବେଶ ପ୍ରସଙ୍ଗ, ପ୍ରଶ୍ନ ଓ ଶୂନ୍ୟକାଳରେ ବିରୋଧୀ ଉଦବେଗ
ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକ ପ୍ରବେଶ ପ୍ରସଙ୍ଗ, ପ୍ରଶ୍ନ ଓ ଶୂନ୍ୟକାଳରେ ବିରୋଧୀ ଉଦବେଗ

ଭୁବନେଶ୍ବର: ବିଧାନସଭାର ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକ ପ୍ରବେଶ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଓ ଶୂନ୍ୟକାଳରେ ଉଦବେଗ ପ୍ରକାଶ ପାଇଛି । ଉଭୟ ବିରୋଧୀ ଦଳ ସରକାର ଓ ବାଚସ୍ପତିଙ୍କୁ ଘେରିଛନ୍ତି । ସେପଟେ ସ୍ଥିତି ଦେଖି ଆଗାମୀ ଅଧିବେଶନରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବାଚସ୍ପତି ।

ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକ ପ୍ରବେଶ ପ୍ରସଙ୍ଗ, ପ୍ରଶ୍ନ ଓ ଶୂନ୍ୟକାଳରେ ବିରୋଧୀ ଉଦବେଗ

ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ଛଡାଯାଉ । ସଠିକ ଖବର ପରିବେଷଣ ଲାଗି ସୁଯୋଗ ମିଳୁ । ବିଧାୟକଙ୍କ ପାଇଁ ଉଦ୍ଧିଷ୍ଟ ଆସନରେ ସେମାନଙ୍କୁ ବସିବାକୁ ଅନୁମତି ଦିଆଯାଉ । ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରୁଲିଂ ଆଣିବାକୁ ବିରୋଧୀ ଦାବୀ କରିଥିଲେ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, "ରଥଯାତ୍ରାରେ 25 ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ । ହେଲେ କୋଭିଡ କଟକଣା ପାଇଁ ବିଧାନସଭା ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକ ମାନଙ୍କୁ ଛଡ଼ା ଯାଉନାହିଁ । କୋଭିଡ ମହାମାରୀରେ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ବିଧାନସଭା ସ୍ଵାଭାବିକ ଚାଲୁଛି । ଦେଶରେ ଓଡିଶା ଗୋଟିଏ ରାଜ୍ୟ ଯେଉଁଠାରେ ବିଧାନସଭାକୁ ସାମ୍ବାଦିକଙ୍କୁ ଅନୁମତି ନାହିଁ । ବିଧାୟକ ମାନେ ଗୋଟିଏ ପ୍ରସଙ୍ଗରେ ଆଲୋଚନା କରୁଥିବା ବେଳେ ଗୋଟିଏ ଖବରକାଗଜରେ ଅନ୍ୟ ଜଣେ ବିଧାୟକଙ୍କ ନାଁ ବାହାରୁଛି । ଏହାର କାରଣ ବିଧାନସଭାକୁ ସାମ୍ବାଦିକ ମାନେ ନଆସିବା" ।

ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଯାନ୍ତ୍ରିକ ତ୍ରୁଟି ରହୁଥିବାରୁ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ନିଜ ମତ ରଖିପାରିନଥିଲେ । ଭିସିରେ ଯୋଗ ଦେଉଥିବା ବିଧାୟକମାନେ ବିଭିନ୍ନ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଗୃହରେ ଅନ୍ୟ ବିଧାୟକ ମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ବିଧାୟକ ମାନେ ଅଲଗା ଅଲଗା ସ୍ଥାନରେ ବସୁଥିବାରୁ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଥିବା ଭଳି ଲାଗୁଛି । ଅନେକ ବିଧାୟକ ଉଦ୍ଧିଷ୍ଟ ହୋଇଥିବା ଆସନରେ ନବସି ପ୍ରେସ ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀ ଏପରିକି ବାଚସ୍ପତିଙ୍କ ଗ୍ୟାଲେରୀରେ ବସୁଛନ୍ତି । ଯାହା ଫଳରେ ସେମାନଙ୍କ କଥା ଠିକ ଭାବେ ଉପସ୍ଥାପନା କରିପାରୁନାହାନ୍ତି । ବିଧାନସଭାକୁ ପୂର୍ବଭଳି ସ୍ଵାଭାବିକ କରିବା ସହ ସାମ୍ବାଦିକ ଓ ଦର୍ଶକ ମାନଙ୍କୁ ବିଧାନସଭାକୁ ଆସିବାକୁ ଅନୁମତି ଦିଆଯାଉ ବୋଲି ବିରୋଧୀ ସଦସ୍ୟ ମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଗୃହରେ କୋଭିଡ କଟକଣା ପାଇଁ ବିଧାୟକ ମାନେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଭଳି ଅନୁଭବ କରୁଥିବାର ଅଭିଯୋଗକୁ ବାଚସ୍ପତି ଖଣ୍ଡନ କରିଛନ୍ତି । ବାଚସ୍ପତି କହିଛନ୍ତି " ସମସ୍ତ ବିଧାୟକ ସମାନ । ବିଧାନସଭା ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ କୋଭିଡ ନିୟମ ଅନୁସାରେ ଗୃହ ପୂର୍ବ ପରି ଚାଲିବ । ବିଧାୟକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଯେହେତୁ ବଜେଟ ଅଧିବେଶନକୁ କମ ସମୟ ରହିଛି । ତେଣୁ ଆଗାମୀ ଅଧିବେଶନରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ" ବୋଲି ବାଚସ୍ପତି ଗୃହରେ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details