ଭୁବନେଶ୍ବର: ରାଜ୍ୟରେ ପୁଞ୍ଜିନିବେଶ ହେବ । ପ୍ରତିଷ୍ଠା ହେବ ଶିଳ୍ପ । ବଢିବ ନିଯୁକ୍ତି । ଏଭଳି ବିଭିନ୍ନ ସମୟରେ ରଙ୍ଗୀନ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର । ସରକାର ଦେଖାଉଥିବା ସୁନେଲି ସ୍ବପ୍ନର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । କେଉଁଠି ଭିତ୍ତିଭୂମିର ଅଭାବ ଓ କଞ୍ଚାମାଲ ଯୋଗାଇବାରେ ସରକାରଙ୍କ ବିଫଳତା ଯୋଗୁଁ ଶିଳ୍ପ ବନ୍ଦ ହେଉଛି । ତ ଆଉ କେଉଁଠି ଏମଓୟୁରେ ସୀମିତ ରହୁଛି ଶିଳ୍ପ ପ୍ରତିଷ୍ଠା ।
ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ । Make In Odisha ଓ ବିଭିନ୍ନ ରାଜ୍ୟରେ ରୋଡ଼ ଶୋ' ଜରିଆରେ ପୁଞ୍ଜିନିବେଶ ଲାଗି ଆହ୍ୱାନ କରୁଛି ଓଡ଼ିଶା । ଓଡ଼ିଶାକୁ ପୁଞ୍ଜି ନିବେଶର ଡେଷ୍ଟିନେସନ କରିବା ପାଇଁ ଶିଳ୍ପପତିମାନଙ୍କୁ ବୁଝାଇବା ସହ ସରକାର ଶିଳ୍ପପତିଙ୍କୁ କେଉଁ ସୁବିଧା ଯୋଗାଇବେ ତାହା ଅବଗତ କରୁଛନ୍ତି । ସରକାର ଜମି, ପାଣି, ବିଦ୍ୟୁତ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ପ୍ରକୃତିକ ସମ୍ପଦ, ଖଣି, ବେଳାଭୂମି, ଜଙ୍ଗଲ ଓ କୃଷି ଭିତ୍ତିଭୂମି ଯୋଗଇବାକୁ ପୁଞ୍ଜିପତିଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ରାଜ୍ୟ ସରକାର । ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକ ଓ ସିଙ୍ଗିଲ ଓ୍ବିଣ୍ଡୋ ଜରିଆରେ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଉଛି । ଗତକାଲି ୧୦ ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ସରକାର । ଏହି ପ୍ରକଳ୍ପ ଦ୍ବାରା ରାଜ୍ୟରେ ବିନିଯୋଗ ହେବ ପ୍ରାୟ ୭୪୬୨୦ କୋଟି ଟଙ୍କା ଓ ନିଯୁକ୍ତି ପାଇବେ ପ୍ରାୟ ୨୪ ହଜାର ।
ସେହିପରି ପୂର୍ବରୁ ମଧ୍ୟ ଅନେକ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଜିଲ୍ଲା ସ୍ତରରେ ଦୀପା ଜରିଆରେ ଶିଳ୍ପ ଲାଗି ଜମି ଯୋଗାଣ ହେଉଛି । ଶିଳ୍ପ ଲାଗି ଇଡକୋ ଜରିଆରେ ଜମି ସଂଗ୍ରହ କରୁଛନ୍ତି ସରକାର । ବିଭିନ୍ନ ଜିଲ୍ଲାରେ ଶିଳ୍ପ ଲାଗି ଲ୍ୟାଣ୍ଡ ବ୍ୟାଙ୍କ କରାଯାଇଛି । ଶିଳ୍ପ ଭିତ୍ତିଭୂମି ମଧ୍ୟ ପ୍ରତିଷ୍ଠା କରାଯାଉଛି । ବ୍ୟାପକ ପ୍ରସ୍ତୁତି ସ୍ୱତେ ବିଭିନ୍ନ ସମସ୍ୟା ଯୋଗୁଁ ଶିଳ୍ପ କ୍ଷେତ୍ରରେ ବିଶେଷ ସଫଳତା ପାଉନଥିବା ଅଭିଯୋଗ ହୋଇଛି । ଏନେଇ ବିଧାନସଭା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜୟ କହିଛନ୍ତି ଯେ, ଗତ 3 ବର୍ଷ ମଧ୍ୟରେ କେତେ ଇନଭେଷ୍ଟମେଣ୍ଟ ହୋଇଛି ସରକାର କୁହନ୍ତୁ । କେତେ ଶିଳ୍ପ ପଳାୟନ କରିଛନ୍ତି ସେ ତଥ୍ୟ ମଧ୍ୟ ସରକାର ଦିଅନ୍ତୁ । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁବାଇ ଓ ରୋମରେ ପୁଞ୍ଜିନିବେଶ କାର୍ଯ୍ୟକ୍ରମ କରିଥିଲେ । କ’ଣ କ’ଣ ଇନଭେଷ୍ଟମେଣ୍ଟ ଆଣିଲେ ତାହା ଓଡ଼ିଶାବାସୀଙ୍କୁ ଜଣାନ୍ତୁ ବୋଲି ଦାବି କରିଛନ୍ତି । ଶିଳ୍ପ କ୍ଷେତ୍ରକୁ ନେଇ ସରକାର ଶ୍ଵେତ ପତ୍ର ଜାରି କରନ୍ତୁ ବୋଲି ସେ କହିଛନ୍ତି ।