ଭୁବନେଶ୍ୱର: କୋରୋନା ମୁକାବିଲା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ରାଜ୍ୟରେ କୋଭିଡର ମୁକାବିଲା ପାଇଁ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୋଭିଡରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପତ୍ନୀ କିମ୍ବା ବାପା ଓ ମା’ଙ୍କୁ ହରାଇଥିବା ଶିଶୁଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯିବ । ଏହାସହ ପିଲାଙ୍କୁ ମାଗଣା ଶିକ୍ଷାର ବ୍ୟବସ୍ଥା କରାଯିବ । ଆସନ୍ତା ମେ’ ୨୪ ତାରିଖରୁ ୩ ମାସ ପାଇଁଁ ସାରା ରାଜ୍ୟରେ ଆଶା ଓ ଏଏନଏମ (ANM) ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
କାର୍ଯ୍ୟକ୍ଷମ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର
ଲକ୍ଡାଉନ କାର୍ଯ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗାଁରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର (TMC) ଖୋଲିବ । ଏହାକୁ ନେଇ ସରପଞ୍ଚମାନେ ସେମାନଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ସରକାର ଜୋନାଲ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ( TMC) ଆରମ୍ଭ କରି ସାରିଛନ୍ତି ।
ଗତ ଏକ ବର୍ଷରୁ ଅଧିକ ସମୟ ହେଲା ଦେଶ କୋରୋନା ସହ ଲଢୁଛି । କୋରୋନାର ଦ୍ୱିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରି ଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି(ସୋମବାର) ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।
ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି । କୋଭିଡ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ ସରକାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚପ୍ରଶଂସା କରିଛନ୍ତି । ଦେଶର ଅନ୍ୟ ଭାଗର ଘଟଣା ଉପରେ ଓଡ଼ିଶା ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି ବୋଲି କହିଛନ୍ତି ମୁଖ୍ୟମୁନ୍ତ୍ରୀ ।
ବୃଦ୍ଧି ହୋଇଛି ICU ଶଯ୍ୟା
ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ICU-HDU ଶଯ୍ୟାରେ ବୃଦ୍ଧି କରାଯାଇଛି । ପ୍ରତି ଜିଲ୍ଲାରେ ଅକ୍ସିଜେନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି । ତ୍ରୁଟିଶୂନ୍ୟ ଅକ୍ସିଜେନ ଯୋଗାଣ ପାଇଁ ଅଧିକ ଅକ୍ସିଜେନ ସିଲିଣ୍ଡର, ରିଫିଲିଂ ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି । ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍ସେଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଆମଦାନୀ କରାଯାଉଛି । ଜରୁରୀ ଔଷଧ ଓ ଅକ୍ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି ।
ରାଜ୍ୟରେ ଚାହିଦା ପୂରଣ ସହିତ ଆଜି ଓଡ଼ିଶା ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍ସିଜେନ ଯୋଗାଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରୁଛି । ଏହା ଓଡ଼ିଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା । ରାଜ୍ୟରେ ଅକ୍ସେଜେନ ପରିଚାଳନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଏକ ଟାକ୍ସଫୋର୍ସ ଗଠନ ବିଷୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।