ଭୁବନେଶ୍ବର: ରାଜ୍ୟରେ 125ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ ରତ ବିଦ୍ୟାର୍ଥୀଙ୍କ ବିଷୟଗତ ଶିକ୍ଷାର ସମୃଦ୍ଧି ପାଇଁ 'ଆଇବିଏମ ଷ୍ଟିମ ଫର ଗାର୍ଲସ' କାର୍ଯ୍ୟକ୍ରମ ପ୍ରଚଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଆଇବିଏମ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।
ଓସେପା ସଭାଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବିଭାଗୀୟ କମିଶନର ତଥା ଶାସନ ସଚିବ ଚିତ୍ରା ଅରୁଗୁମଙ୍କ ଉପସ୍ଥିତିରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଓ ଆଇବିଏମ କର୍ପୋରେଟ ସିଟିଜେନସିପରେ ଭାରତ ଓ ଦକ୍ଷିଣ ଏସିଆ ମୁଖ୍ୟ ରୁମି ମଲ୍ଲିକ ମିତ୍ର ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି ।
ସୂଚନାଯୋଗ୍ୟ, ଏହି ବୁଝାମଣାପତ୍ର ଅନୁସାରେ ଆଇବିଏମ ସଂସ୍ଥା ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ପାଠ ପଢୁଥିବା ଅନ୍ୟୁନ 20 ହଜାର ଛାତ୍ରୀ ଓ 10 ହଜାର ଛାତ୍ରଙ୍କୁ ବିଜ୍ଞାନ, ବୈଷୟିକ, ଇଞ୍ଜିନିୟରିଂ ଓ ଗଣିତ ବିଷୟରେ ଉନ୍ନତ ଜ୍ଞାନକୌଶଳ ଶିକ୍ଷା ପ୍ରଦାନ କରିବ ।