ଭୁବନେଶ୍ବର:ଖୋଲୁଛି ଗିରଫ ପ୍ରସନ୍ନ ବେହେରାଙ୍କ ଡାଏରୀ ଗୁମର । ଡାଏରୀରେ ରହିଛି କିଛି ବରିଷ୍ଠ ପୋଲିସ ଅଧିକାରିଙ୍କ ନାଁ । ଏପରିକି ଡାଏରୀରେ ସେଭଳି କିଛି ଅଫିସର ରହିଛନ୍ତି ଯିଏକି ପ୍ରସନ୍ନ ପଛରେ ଥିଲେ ମାଷ୍ଟର ପ୍ଲେୟାର । ଯାହାଙ୍କ ଇସାରାରେ ପ୍ରସନ୍ନ ଚଲାଇଥିଲେ କଳା କାରବାର । ପ୍ରସନ୍ନ ଡ୍ୟୁଟି କରୁନଥିଲେ ବି ଛୁଟି ଅନୁମୋଦନ ପାଇଁ ସେ ମସୁଧା କରୁଥିଲେ । କିଛି ଅଫିସରଙ୍କ ପାଇଁ କଲେକ୍ସନର ଏଜେଣ୍ଟ ମଧ୍ୟ ସାଜିଥିଲେ । ସେହି ଟଙ୍କାରୁ ହିଁ ପ୍ରସନ୍ନ ଚଳାଇଥିଲେ ନିଜ ବ୍ୟବସାୟ । ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରା ବଡ ବଡ ଅଫିସରଙ୍କ ପାଇଁ କଳା ସାମ୍ରାଜ୍ୟ ସମ୍ଭାଳୁଥିବା ଜଣାପଡିଛି ।
ଆହୁରି ମଧ୍ୟ ପ୍ରସନ୍ନ ପାଇଁ କିଛି ସାମ୍ବାଦିକ ମଧ୍ୟସ୍ଥି ମଧ୍ୟ କରୁଥିଲେ । ଭିଜିଲାନ୍ସ ପ୍ରସନ୍ନଙ୍କ ଡାଏରୀ ଖୋଲିବା ପରେ ସେହି ଡାଏରୀରେ ଥିବା ନାଁଙ୍କୁ ନେଇ ହରଡ଼ଘଣାରେ ପଡିଛନ୍ତି କିଛି ଅଫିସର । ସମ୍ପୃକ୍ତ ଅଫିସର ଡ୍ୟୁଟିରେ ଥିବା ସତ୍ତ୍ବେ ପ୍ରସନ୍ନଙ୍କୁ ଏଭଳି କାମରେ ଲଗାଇ ନିଜର ଫାଇଦା ପାଉଥିବା କୁହାଯାଉଛି । ପ୍ରସନ୍ନଙ୍କ ନାଁ ବାର୍ ଲିଙ୍କରେ ସାମ୍ନାକୁ ଆସିବା ପରେ ବଦନାମ ଭୟରେ କିଛି ଉପରିସ୍ଥ ଅଧିକାରୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।