ହାଇଦ୍ରାବାଦ: ଶାସନ, ଅନୁଶାସନ ଆଉ ଆଚରଣ ବିଧି ଶିଖାନ୍ତି ସେ । ତାଙ୍କ ପାଖରେ ଅଛି ଜ୍ଞାନର ଗନ୍ତାଘର, ତାଙ୍କ ଛାଟରେ ଅଛି ଅନୁଶାସନର ସମସ୍ତ ଗୁଣ । ପିଲାଟିର ଜୟ-ପରାଜୟକୁ ଯିଏ ନିଜର ଜୟ-ପରାଜୟ ମଣନ୍ତି ସେ 'ଗୁରୁ' ।ବାସ୍ ତାଙ୍କୁ ଦିଆଯାଇଥିବା ଆଖ୍ୟାର ଶବ୍ଦରେ ହିଁ ସବୁକିଛି ଭରି ରହିଛି । 'ଗୁ'ର ଅର୍ଥ ଅନ୍ଧାର ଆଉ 'ରୁ' ଅର୍ଥ ଆଲୋକ । ଯିଏ ଅନ୍ଧାରରୁ ଆଣି ଆଲୋକର ପଥ ଦେଖାନ୍ତି ସେ ହେଉଛନ୍ତି 'ଗୁରୁ' । ଏପରି ଏକ ମଣିଷଟିଏ ନାହିଁ ଯାହା ଜୀବନରେ ଗୁରୁ ନଥିବେ । ଗୁରୁ ସର୍ବତ୍ର ବିଦ୍ୟମାନ ।
ହଁ ଗୁରୁ ସର୍ବତ୍ର ବିଦ୍ୟମାନ ବୋଲି ତାଙ୍କୁ ବ୍ରହ୍ମା-ବିଷ୍ଣୁ-ମହେଶ୍ବରଙ୍କ ସହ ତୁଳନା କରାଯାଇଛି । ସେଥିପାଇଁ ତ କୁହାଯାଇଛି 'ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର ।' ଭଗବାନ ଜନ୍ମଦେଇ ଜ୍ଞାନ ଆହରଣ ନିମନ୍ତେ ଗୁରୁଙ୍କୁ ମାଧ୍ୟମ ରୂପେ ରଖିଛନ୍ତି । ଯଦି ବାପାଙ୍କ ସାଙ୍ଗରେ ଗୁରୁ ଥିବେ ତେବେ ବାପା କହନ୍ତି ପ୍ରଥମେ ଗୁରୁଙ୍କ ପାଦ ସ୍ପର୍ଶ କର, କାରଣ ସେ ତୋତେ ନଇଁବାର ଜ୍ଞାନ ଶିଖାଇଛନ୍ତି । ମୁଖରେ ସୁବଚନ, ମନରେ ସୁଚିନ୍ତନ ଆଉ ହସ୍ତରେ ସୁକର୍ମର ଶିକ୍ଷା ଦିଅନ୍ତି 'ଗୁରୁ' ।
ବାପା-ମାଆ ପିଲାଟିକୁ ଗୁରୁଙ୍କ ପାଖରେ ଛାଡି କହନ୍ତି, 'ଆଖି ବୁଜି ବାଡେଇବେ । ତା' ପରେ ଯାଇ ସେ ବାଟକୁ ଆସିବ, ମୋ କଥା ମାନୁନି ।' ଆଜ୍ଞା ହଁ ଯେଉଁ ବାପା-ମାଆ ପିଲାଟିର କଷ୍ଟ ଟିକେ ସହିପାରନ୍ତିନି, ସେ କହନ୍ତି ଗୁରୁଙ୍କୁ ଆକଟ କରିବା ପାଇଁ । କାରଣ ସେ ହିଁ ଜାଣିଥାନ୍ତି ଗୁରୁଙ୍କ ଆକଟରେ, ତାଙ୍କ ଛାଟରେ ବାଟ ଅଛି । ସେ ହିଁ ଗୋଟିଏ ଲୋକ ଯିଏ ଜନ୍ମ ନ ଦେଲେ ମଧ୍ୟ ସବୁବେଳେ ଶିଷ୍ୟର ସୁନାମରେ ଆନନ୍ଦିତ ହୁଅନ୍ତି । ବୃତ୍ତି ପରୀକ୍ଷା ଦେବାକୁ ସାଙ୍ଗରେ ନେଇ ଯାଆନ୍ତି । ଆଉ ଗାଁ ଛକରେ ବରିଷ୍ଠ ଲୋକଙ୍କ ସହ ଆଲୋଚନା କରି କହନ୍ତି ଏଥର ମୋ ସ୍କୁଲରୁ ଅମକ ଛୁଆ ବୃତ୍ତି ପାଇଛି, ସମକ ଛୁଆ ଜିଲ୍ଲାରେ ଟପ୍ପର ହୋଇଛି । ଏପରି ବଖାଣିବା ସମୟରେ ଗୁରୁଙ୍କ ମନରେ ଆନ୍ଦୋଳିତ ହେଉଥିବା ସେ ଗୌରବମୟ ଭାବନା ହିଁ ବଖାଣେ ତାଙ୍କ ଉତ୍ସର୍ଗୀକୃତ ଦାନକୁ ।