ଓଡିଶା

odisha

ETV Bharat / city

ଖୁବଶୀଘ୍ର ମିଳିବ କୋଭିଡ୍‌ ମୃତ୍ୟୁ ଅନୁକମ୍ପା ରାଶି, ପ୍ରକ୍ରିୟା ସରଳ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

କୋଭିଡ୍‌ ମହାମାରୀରେ ମୃତ୍ୟୁବରଣ କରିଥିବା ନାଗରିକମାନଙ୍କର ପରିବାର ସଦସ୍ୟ ବା ନିକଟତମ ସଂପର୍କୀୟଙ୍କୁ ମିଳିବ ଅନୁକମ୍ପା ମୂଳକ ସହାୟତା ରାଶି । ଅଧିକ ପଢନ୍ତୁ...

Govt. will provide COVID death Compassionation amount very soon, Chief Secretary's order to simplify the process
ଖୁବଶୀଘ୍ର ମିଳିବ କୋଭିଡ୍‌ ମୃତ୍ୟୁ ଅନୁକମ୍ପା ରାଶି

By

Published : Oct 18, 2021, 10:43 PM IST

ଭୁବନେଶ୍ବର:କୋଭିଡ୍‌ ମହାମାରୀରେ ମୃତ୍ୟୁବରଣ କରିଥିବା ନାଗରିକମାନଙ୍କର ପରିବାର ସଦସ୍ୟ ବା ନିକଟତମ ସଂପର୍କୀୟଙ୍କୁ ମିଳିବ ଅନୁକମ୍ପା ମୂଳକ ସହାୟତା ରାଶି । ଏ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତ ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଏ ନେଇ ଏକ ପ୍ରସ୍ତୁତି ଏବଂ ସମନ୍ବୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ବୈଠକରେ ସମସ୍ତ ଜିଲ୍ଲା ତହସିଲ ଏବଂ ବ୍ଲକ୍‌ସ୍ତରୀୟ ଅଧିକାରୀ ଭିସିରେ ଯୋଗ ଦେଇଥିଲେ । ଅନୁକମ୍ପା ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ସରଳ ଏବଂ ସହାୟକଧର୍ମୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଖୁବଶୀଘ୍ର ମିଳିବ କୋଭିଡ୍‌ ମୃତ୍ୟୁ ଅନୁକମ୍ପା ରାଶି, ପ୍ରକ୍ରିୟା ସରଳ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଉନ୍ନୟନ କମିଶନ୍‌ ତଥା ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଅନୁକମ୍ପା ମୂଳକ ସହାୟତା ପ୍ରଦାନ ସମ୍ବନ୍ଧିତ ପ୍ରଶାସନିକ ପ୍ରକ୍ରିୟା ଏବଂ କାର୍ଯ୍ୟ ପଦ୍ଧତି ବିଷୟରେ ସବିଶେଷ ସୂଚନା ଦେଇଛନ୍ତି । ସ୍ବତନ୍ତ୍ର ରିଲିଫ୍‌ କମିଶନର ଜଣାଇଛନ୍ତି ଯେ, ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ସରକାରଙ୍କ ନିଷ୍ପତ୍ତି ଅନୁସାରେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ନିକଟତମ ସଂପର୍କୀୟଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ ।

ଧନୀ, ଗରିବ ନିର୍ବିଶେଷରେ ସବୁ ବର୍ଗର ଲୋକ ଏହି ସହାୟତା ପାଇପାରିବେ । ଅନ୍ୟ କୌଣସି ଯୋଜନାରେ ସହାୟତା ପାଇଥିବା ବ୍ୟକ୍ତି ବା ପରିବାର ମଧ୍ୟ ଏହି ଅନୁକମ୍ପା ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । ଦରଖାସ୍ତ ଗ୍ରହଣଠାରୁ ଆରମ୍ଭ କରି ଅନୁକମ୍ପା ରାଶି ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଓ ପର୍ଯ୍ୟାୟକୁ ଲୋକମାନଙ୍କ ପାଇଁ ସରଳ, ସହଜଲବ୍ଧ ଏବଂ ସହାୟକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ତହସିଲ୍‌ଦାର ଏବଂ ପ୍ରକ୍ରିୟା ସହ ସଂପୃକ୍ତ ସମସ୍ତ ବର୍ଗର ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍‌ ମୃତ୍ୟୁ ସମ୍ବନ୍ଧିତ କାଗ୍‌ଜାତ୍‌ ଓ ପ୍ରମାଣପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରେରଣ ସମ୍ବନ୍ଧିତ ଅଭିଯୋଗ ଓ ଅସୁବିଧା ଆଦିର ତୁରନ୍ତ ସମାଧାନ ନିମନ୍ତେ ଜିଲ୍ଲାସ୍ତରୀୟ କମିଟି ସହୃଦୟତାର ସହ ସକ୍ରିୟ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଓ ପ୍ରଯୁକ୍ତିବଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର କହିଛନ୍ତି ଯେ, ଅନୁଦାନ ପାଇଁ ମୃତ ବ୍ୟକ୍ତିଙ୍କ ପରିବାରଜନ ବା ନିକଟତମ ସଂପର୍କୀୟ ନିର୍ଦ୍ଧାରିତ ଫର୍ମରେ ଜିଲ୍ଲାପାଳମାନଙ୍କୁ ଅନ୍‌ଲାଇନ୍‌ ବା ଅଫ୍‌ଲାଇନ୍‌ରେ ଦରଖାସ୍ତ ଦେଇପାରିବେ । ଦରଖାସ୍ତକାରୀଙ୍କୁ ଦରଖାସ୍ତ ଗ୍ରହଣର ଏକ ସ୍ବୀକୃତି ରସିଦ୍‌ ଦିଆଯିବ । ସାଧାରଣ ସେବା କେନ୍ଦ୍ର(କମନ୍‌ ସର୍ଭିସ୍ ସେଣ୍ଟର) ମାନଙ୍କରେ ମଧ୍ୟ ଅନ୍‌ଲାଇନ୍‌ ଦରଖାସ୍ତ ଦାଖଲ କରିହେବ । ମିଳିଥିବା ସମସ୍ତ ଦରଖାସ୍ତକୁ ଓକାକ୍‌ ଦ୍ବାରା ପ୍ରସ୍ତୁତ ହେଉଥିବା ସଫ୍ଟୱାର ବ୍ୟବସ୍ଥା ମାଧ୍ୟମରେ ପ୍ରକ୍ରିୟା କରଣ କରାଯିବ । ଏହାଦ୍ବାରା ପ୍ରକ୍ରିୟା ତ୍ବରାନ୍ନିତ ଏବଂ ତୃଟିମୁକ୍ତ ହେବ । ଜଣେ ମୃତକଙ୍କ ପାଇଁ ଏକାଧିକ ବ୍ୟକ୍ତି ଦରଖାସ୍ତ କଲେ ତାହା ଜଣାପଡ଼ିବ । କୋଭିଡ୍‌ ମୃତ୍ୟୁ ସମ୍ବନ୍ଧିତ ଦସ୍ତାବିଜ୍‌, ପ୍ରମାଣପତ୍ର ଆଦିର ଯାଞ୍ଚ ମଧ୍ୟ ସହଜ ଓ ନିର୍ଭର ଯୋଗ୍ୟ ହେବ ।

କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇ ଘରୋଇ ପୃଥକ ବାସରେ ମୃତ୍ୟୁବରଣ କରିଥିବା ଓ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଥିବାବେଳେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଏହି ସହାୟତା ପାଇଁ ଦରଖାସ୍ତ କରିପାରିବେ । ପଜିଟିଭ୍‌ ଚିହ୍ନଟ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଏହି ସହାୟତା ପାଇବେ । ଦରଖାସ୍ତ ଗ୍ରହଣ, ତନଖି, ପ୍ରକ୍ରିୟାକରଣ, ମଞ୍ଜୁରୀ ଏବଂ ସହାୟତା ପ୍ରଦାନ ଆଦି ସମସ୍ତ କାର୍ଯ୍ୟ ଜିଲ୍ଲା ସ୍ତରରେ କରାଯିବ । ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷମାନଙ୍କୁ ରାଜ୍ୟ ସରକାର ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି । ପ୍ରକ୍ରିୟା ସହିତ ସଂପୃକ୍ତ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ କମନ୍‌ ସର୍ଭିସ୍‌ ସେଣ୍ଟରର କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ୍‌ ଦିଆଯିବା ଉପରେ ଉନ୍ନୟନ କମିଶନ ଗୁରୁତ୍ବ ଆରୋପ କରିଛନ୍ତି । ଜନସାଧାରଣଙ୍କ ଅବଗତି ନିମନ୍ତେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବୈଠକରେ ସ୍ଥିର ହୋଇଛି । ଲୋକମାନଙ୍କଠାରୁ ଦରଖାସ୍ତ ଗ୍ରହଣ ପାଇଁ ସ୍ବତନ୍ତ୍ର ଭାବେ ବିଜ୍ଞପ୍ତି ପ୍ରକାଶ ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଛି । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା, ଭେଷଜ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥି​‌ଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details