ଓଡିଶା

odisha

ETV Bharat / city

ପ୍ରବାସୀ ଓଡିଆଙ୍କ ପାଇଁ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ; ତଦାରଖ କରୁଛନ୍ତି ବରିଷ୍ଠ ଅଧିକାରୀ - କୋରୋନା ମୁକାବିଲା

କୋରୋନା ମୁକାବିଲା ପାଇଁ ସବୁଠି ଯୋରଦାର ପ୍ରସ୍ତୁତି । ରାଜ୍ୟ ସରକାର ପ୍ରତିଦିନ ନୂଆ ନୂଆ ପଦକ୍ଷେପ ନେଉଛନ୍ତି ଆବଶ୍ୟକତା ଅନୁସାରେ । ପ୍ରବାସୀ ଓଡିଆଙ୍କ ସହାୟତ ପାଇଁ କାର୍ଯ୍ୟ କରୁଛି କଣ୍ଟ୍ରୋଲ ରୁମ । ପଢନ୍ତୁ କେମିତି କିଭଳି ଚାଲିଛି ଏହି କଣ୍ଟ୍ରୋଲ ରୁମ ...

control room
control room

By

Published : Mar 31, 2020, 9:13 PM IST

ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ । ଫଳରେ ରାଜ୍ୟ ବାହାରେ ଥିବା ଓଡିଆଙ୍କ ଅଭାବ ଅସୁବିଧା ଦୂର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଫସିଥିବା ଓଡିଆ ଭାଇ ଭଉଣୀମାନଙ୍କ ପାଖରେ ସର୍ବନିମ୍ନ ସହାୟତା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜୋରଦାର କରିଛନ୍ତି ।

ପ୍ରବାସୀ ଓଡିଆଙ୍କ ପାଇଁ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ; ତଦାରଖ କରୁଛନ୍ତି ବରିଷ୍ଠ ଅଧିକାରୀ

ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଦାୟିତ୍ବରେ ଅଛନ୍ତି ଅପରେସନ ଆଇଜି ଅମିତାଭ ଠାକୁର । ବିଭିନ୍ନ ରାଜ୍ୟରେ ଥିବା ଓଡିଆଙ୍କ ପାଖରେ ସର୍ବନିମ୍ନ ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ଗୃହ ସଚିବ ସଞ୍ଜୀବ ଚୋପ୍ରା ସମ୍ପୂର୍ଣ୍ଣ ବ୍ୟବସ୍ଥାର ତଦାରଖ କରୁଛନ୍ତି । ଅଭିଜ୍ଞ ଆଇପିଏସ ଅଫିସରମାନଙ୍କ ସୁପରଭିଜନ କରୁଥିବା ବେଳେ ଆଇଟି ବିଶେଷଜ୍ଞ ମାନେ ଟେକନିକାଲ ସପୋର୍ଟ ବଳରେ କଣ୍ଟ୍ରୋଲ ରୁମର ସହାୟତା କରୁଛନ୍ତି । ଫଳରେ ପ୍ରବାସୀ ଓଡିଆଙ୍କ ପାଖରେ ସରକାରୀ ସହାୟତା ପହଞ୍ଚିପାରୁଛି ।

ସୂଚନା ମୁତାବକ ଶ୍ରମିକ ହୁଅନ୍ତୁ କି ବିଦ୍ୟାର୍ଥୀ ବା ତୀର୍ଥଯାତ୍ରୀ ଅଥବା କୌଣସି ବେସରକାରୀ ସଂସ୍ଥାର କର୍ମଚାରୀ ଯେଉଁମାନେ ରାଜ୍ୟ ବାହାରେ ରହୁଛନ୍ତି ସମସ୍ତଙ୍କ ପାଇଁ ରାଜ୍ୟ ସରକାର ଟୋଲଫ୍ରି ନମ୍ବର ଜାରି କରିଛନ୍ତି । ଯାହାର ନମ୍ବର ହେଉଛି ୦୬୭୪-୨୩୯୨୧୧୫ , ୯୪୩୮୯୧୫୯୮୬, ଏହି ଦୁଇଟି ନମ୍ବର ପ୍ରବାସୀ ଓଡିଆଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରୁଛି । କୋରୋନା ପାଇଁ ସାରାଦେଶରେ ଲକଡାଉନ କଟକଣା ଯୋଗୁଁ ରାଜ୍ୟ ବାହାରେ ହଜାର ହଜାର ଓଡିଆ ଲୋକ ଫସି ରହିଛନ୍ତି । ଏପରି ସ୍ଥଳେ ପ୍ରବାସୀ ଓଡିଆଙ୍କୁ ସୁରକ୍ଷିତ ରଖିବା ଓ ଆବଶ୍ୟକ ସହାୟତ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଅଧିକ ଓଡିଆ ବହୁଳ ରାଜ୍ୟ କେରଳ, ରାଜସ୍ଥାନ, ହରିଆନା, ମହାରାଷ୍ଟ୍ର, ଗୋଆ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ପାଇଁ ସ୍ବତନ୍ତ୍ର ଅଫିସର ନିଯୁକ୍ତ କରିଛନ୍ତି । 2ଟି ସିଫ୍ଟ ଜରିଆରେ 24 ଘଣ୍ଟା କାମ କରୁଥିବା ବେଳେ ପ୍ରତ୍ୟେକ ସିଫ୍ଟରେ ୨୦ ଜଣ ଅଭିଜ୍ଞ ଆଇଟି ଏକ୍ସପର୍ଟଙ୍କ ସହ ୪ ଜଣ ଡିଆଇଜି ପାହ୍ୟାର ଆଇପିଏସ ଅଫିସର ଏହାର ତଦାରଖ କରୁଛନ୍ତି । ଏହି କଣ୍ଟ୍ରୋଲ ରୁମକୁ ଯାଇ ଆଜି ସମୀକ୍ଷା କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।

ମିଳିଥିବା ସୂଚନା ଅନୁସାରେ କଣ୍ଟ୍ରୋଲ ରୁମକୁ ଫୋନ ଆସିଲେ ମୁଖ୍ୟତଃ 3ଟି ପ୍ରଶ୍ନ ପଚରା ଯାଉଛି । ପ୍ରଥମତଃ କେଉଁ ରାଜ୍ୟରେ ଅଛନ୍ତି । ଦ୍ବିତୀୟରେ ଓଡିଶାର କେଉଁ ଜିଲ୍ଲାର ? କଣ ଅସୁବିଧା ରହିଛି । କଣ ନିହାତି ଆବଶ୍ୟକତା ଅଛି । ସମସ୍ତ ବାର୍ତ୍ତାଳପ ର ଅଟୋ-ମେକାନିଜମ ସପ୍ଟୱେର ବଳରେ ରେକର୍ଡ କରାଯିବା ସହ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ଖବର ଦିଆଯାଉଛି । ଏହା ପରେ ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଉଛି ସାହାଯ୍ୟ ସହଯୋଗର ପ୍ରକ୍ରିୟା । ସଂପୃକ୍ତ ରାଜ୍ୟର ସ୍ଥାନୀୟ ପ୍ରଶାସନ ସହ ହେଉଛି ଯୋଗାଯୋଗ । କିଛି ସମସ୍ୟା ହେଲେ ବରିଷ୍ଠ ଅଧିକାରୀମାନେ ସେହି ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇ ସମାଧାନର ବାଟ ବାହର କରୁଛନ୍ତି ।

ଲକଡାଉନ ଯୋଗୁଁ ଯେହେତୁ କାହାକୁ କେଉଁଠିକୁ ଯିବାକୁ ଦିଆଯାଉନାହିଁ, ତେଣୁ ସେମାନଙ୍କ ପାଖରେ ଖାଦ୍ୟ, ପାଣି ଏବଂ ରହିବାର ବ୍ୟବସ୍ଥା ସୁନିଶ୍ଚିତ କରୁଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲା ପାଇଁ ସ୍ବତନ୍ତ୍ର ନୋଡାଲ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details