ଭୁବନେଶ୍ବର: ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ପ୍ରଶଂସା କଲେ ରାଜ୍ୟପାଳ ଗଣେଶି ଲାଲ । ଦୀର୍ଘ ୨୨ ବର୍ଷ ପରେ ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଏହି ଲୋମଟାଙ୍କୁରା ଗଣଦୁଷ୍କର୍ମର ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ପୁଣେରୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏହି ଘଟଣାକୁ ନେଇ ଆଜି(ଗୁରୁବାର) ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସିପିଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ।
ସିପି ସୁଧାଂଶୁ ଷଡଙ୍ଗୀଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ସାଇଲେଣ୍ଟ ଭାଇପର ନାମରେ ଏକ ସିକ୍ରେଟ ଅପରେସନ ଆରମ୍ଭ କରାଯାଇଥିଲା । ଆଉ ଦୀର୍ଘ 22 ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ବିବନକୁ ପାତାଳରୁ ଗିରଫ କରିଥିଲା । ଯାହାକୁ ନେଇ ଉଭୟ ଟ୍ବିନସିଟିର କମିଶନରେଟ ପୋଲିସ ସହ ଓଡିଶା ପୋଲିସ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି ମହାମହିମ ରାଜ୍ୟପାଳ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ରାଜ୍ୟପାଳ ।