ଭୁବନେଶ୍ବର: ରାଜ୍ୟରେ ଗତ 10 ବର୍ଷରେ କେତେ ଧାନ କିଣିଛନ୍ତି ସରକାର? କେତେ ଚାଉଳ ଉତ୍ପାଦନ କରିଛନ୍ତି କେଉଁ ବର୍ଷ କେତେ ପରିମାଣର ଦରରେ ଧାନ ସଂଗ୍ରହ ହୋଇଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ଆଜି ( ବୁଧବାର) ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରଖିଛନ୍ତି ।
ଗତ 10 ବର୍ଷର ଧାନ ସଂଗ୍ରହର ତଥ୍ୟ ଦେଲେ ସରକାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏକ ଅଣତାରକା ପ୍ରଶ୍ନ କରି ପଚାରିଥିଲେ ଯେ ରାଜ୍ୟରେ 2010 ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ଧାନ କିଣିଛନ୍ତି । କେତେ ପରିମାଣର ଏମଏସପି ବୃଦ୍ଧି ପାଇଛି । ରାଜ୍ୟରେ ଉତ୍ପାଦିତ ଚାଉଳ ହାର ଏହି ସମୟରେ କେତେ ବୃଦ୍ଧି ପାଇଛି । ଖୋଲା ବଜାରରେ ବିକ୍ରି ଚାଉଳ ମଧ୍ୟରୁ ରାଜ୍ୟ ବାହାରକୁ କେତେ ପ୍ରତିଶତ ଓ କେଉଁ ପ୍ରକାରର ଚାଉଳ କିଲୋ ପିଛା କେତେ ଦରରେ ମିଳୁଥିବାବେଳେ ରାଜ୍ୟର ନିଜସ୍ବ ଚାଉଳ କେଉଁ ହାରରେ ବିକ୍ରି ହେଉଛି ତାହାର ତଥ୍ୟ ମାଗିଥିଲେ ।
ଉତ୍ତରରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ 2010 ରୁ 2020-21 ପର୍ଯ୍ୟନ୍ତ ତଥ୍ୟ ଦେଇଥିଲେ । 2010-11ରେ 36.96 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବା ବେଳେ 24.99 ଲକ୍ଷ ମେଟ୍ରିକ 24. ଲକ୍ଷ 99 ଟନ ଚାଉଳ ଉତ୍ପାଦନ ହୋଇଥିଲା । ସେହିବର୍ଷ ଧାନ କ୍ବାଇଣ୍ଟାଲ ପ୍ରତି ଏକ ହଜାର ଟଙ୍କାରେ ସରକାର କିଣିଥିଲେ । ସେହିପରି ବର୍ଷ 2019-20 ରେ 70.56 କ୍ବୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ 47.78 କ୍ବୁଇଣ୍ଟାଲ ଚାଉଳ ଉତ୍ପାଦନ ହୋଇଥିଲା । ସେହି ବର୍ଷ ଧାନ କ୍ବୁଇଣ୍ଟାଲ ପ୍ରତି 1810 ଟଙ୍କାରେ ଚାଷୀଙ୍କ ଠାରୁ ସରକାର କିଣିଥିଲେ ।
ସେହିପରି ମନ୍ତ୍ରୀ କହିଛନ୍ତି ରାଜ୍ୟ ଓ କେନ୍ଦ୍ରର ବିଭିନ୍ନ ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ ଜନ ହିତକାରୀ ଯୋଜନାରେ ଅତ୍ୟାବଶ୍ୟକ ହେଉଥିବା ଚାଉଳର ଚାହିଦା ମେଣ୍ଟାଇବା ପାଇଁ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଉଅଛି । ସଂଗୃହିତ ଚାଉଳକୁ ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟବହାର କରାଯାଇଥାଏ । ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମ(FCI) ମାଧ୍ୟମରେ କେନ୍ଦ୍ରୀୟ ଅନ୍ନ ଭଣ୍ଡାରରେ ଦାଖଲ କରାଯାଇଥାଏ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ