ଭୁବନେଶ୍ବର: ଥମୁନି ବେଆଇନ କାରବାର । ଭୁବନେଶ୍ବର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ହେବା ପରଠୁ ଏଠାରେ ଦିନକୁ ଦିନ ସୁନା ଚାଲାଣ ବଢିବାରେ ଲାଗିଛି । ଦୁଇ ଦିନ ଭିତରେ ଦୁଇ ଥର ସୁନା ଜବତ ହେଲାଣି । ବୁଧବାର ୫୦୦ ଗ୍ରାମ ସୁନା ଜବତ ହୋଇଥିବାବେଳେ ଆଜି (ଗୁରୁବାର) ଅପରାହ୍ନରେ ୬୧୨ ଗ୍ରାମ ସୁନା ଜବତ ହୋଇଛି । ଜବତ ହୋଇଥିବା ସୁନାର ମୂଲ୍ୟ ପାଖପାଖି ୨୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ସୂଚନା ଅନୁସାରେ କ୍ବାଲାଲାମପୁରରୁ ଆସିଥିବା ଏୟାର ଏସିଆ ଏକେ ୩୧ ବିମାନରେ ଚେନ୍ନାଇର ଦୁଇ ଜଣ ଯାତ୍ରୀଙ୍କ ନିକଟରୁ କଷ୍ଟମ ବିଭାଗ ସୁନା ବିସ୍କୁଟ ଜବତ କରିଛି । ସେମାନଙ୍କ ନିକଟରୁ ଜବତ କରାଯାଇଛି ୬୧୨.୮୫ ଗ୍ରାମ ସୁନା । ଦୁଇ ଜଣ ଯାତ୍ରୀ ଅତି ଚତୁରତାର ସହ ୭ଟି କ୍ୟାପସୁଲ ପରି ପ୍ଲାଷ୍ଟିକ ଡବାରେ ସୁନାର ପ୍ୟାକିଙ୍ଗ କରି ଆଣୁଥିଲେ । ଯେତେବେଳେ ତାଙ୍କ ବ୍ୟାଗକୁ ସ୍କାନ କରାଯାଇଥିଲା ସେତେବେଳେ ସୁନା ବାହାରିଥିଲା ।