ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସମାରୋହର ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଅକ୍ଟୋବର ୨ରେ ବୁଧବାର ଦିନ ଭୁବନେଶ୍ବରଠାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ସମାରୋହ ପାଳନ ଉଦ୍ଦେଶ୍ୟରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ବୈଠକରେ ଯୋଗଦେଇଥିଲେ । ଇତି ମଧ୍ୟରେ ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ମହାତ୍ମା ଗାନ୍ଧୀଙ୍କ ୬ଟି ପୂର୍ଣ୍ଣାବୟବ ତୈଳଚିତ୍ର ରବୀନ୍ଦ୍ର ମଣ୍ଡପ, ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଅଭିଲେଖାଗାର, କଟକସ୍ଥିତ ଆନନ୍ଦଭବନ ସଂଗ୍ରହାଳୟ, ନେତାଜୀ ସୁଭାଷଚନ୍ଦ୍ର ବୋଷ ସଂଗ୍ରହାଳୟ ଓ ସ୍ବରାଜ ଆଶ୍ରମରେ ସ୍ଥାପନ କରାଯାଉଛି ।
ତେବେ ଆସନ୍ତୁ ନଜର ପକାଇବା ଗାନ୍ଧୀଜୟନ୍ତୀ ଦିନ କ'ଣ କାର୍ଯ୍ୟକ୍ରମ ରହିଛି....
- ଭୋର ସାଢ଼େ ୪ଟା - ସହର ସାରା ରାମଧୂନ୍ ପ୍ରଚାର କରାଯିବ ।
- ସକାଳ ୭ଟାରୁ ୮ଟା - ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଆଚାର୍ଯ୍ୟ ବିହାରଠାରୁ କ୍ୟାପିଟାଲ୍ ହସ୍ପିଟାଲ୍ ପର୍ଯ୍ୟନ୍ତ ସୁଦୀର୍ଘ ବିଶାଳ ଏକ ମାନବ ଶୃଙ୍ଖଳ ରଚନାରେ ସାମିଲ ହେବେ ।
- ପ୍ରାୟ ୪୦୦ ସଂକୀର୍ତ୍ତନ କଳାକାର ଦୁଇ ଭାଗରେ ବିଭକ୍ତ ହୋଇ ‘ରଘୁପତି ରାଘବ ରାଜାରାମ’ (ରାମଧୂନ୍) ଭଜନ ପରିବେଷଣ ପୂର୍ବକ ପଦଯାତ୍ରାରେ ଯିବେ ।