ଭୁବନେଶ୍ବର: ଅକ୍ଟୋବର 2 ବୁଧବାର ସାରା ବିଶ୍ବରେ ପାଳିତ ହେବେ ବାପୁଙ୍କ 150ତମ ଜନ୍ମ ଜୟନ୍ତି । ଏଥିପାଇଁ ଦେଶରେ ଚାଲିଛି ବିଭିନ୍ନ ପ୍ରସ୍ତୁ୍ତି । ଅହିଂସାର ପୂଜାରୀ ବାପୁଙ୍କ ଜନ୍ମ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟି ଆରମ୍ଭ କରୁଛି ‘ଗାନ୍ଧୀ ସଂକଳ୍ପ ଯାତ୍ର’ ଏଥିପାଇଁ ରାଜ୍ୟ ଶାଖା ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛି । ଘୋଷଣା ଅନୁସାରେ ଅକ୍ଟୋବର 2ରୁ ଅକ୍ଟୋବର 31 ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ପଦଯାତ୍ର କରିବ ଦଳ । ଏ ସଂପର୍କିତ ଲିଫଲେଟ, ପ୍ଲାକାର୍ଡ ଓ ସିଡି ଆଜି ଦଳୀୟ କାର୍ଯ୍ୟାଳୟରେ ଉନ୍ମୋଚନ କରିଛନ୍ତି ଉପ-ସଭାପତି ସମୀର ମହାନ୍ତି ଓ ମୁଖ୍ୟପାତ୍ର ଗୋଳକ ମହାପାତ୍ର ।
ଉନ୍ମୋଚନ ଅବସରରେ ସମୀର ମହାନ୍ତି କହିଛନ୍ତି, ବୁଧବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଜିଲ୍ଲା ତେଲଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ସକାଳ ୯ଟାରେ ଏହି ପଦଯାତ୍ରା ଆରମ୍ଭ କରିବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସାଧାରଣ ଜନତାଙ୍କୁ ଭେଟିବା ସହ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ବୋଲି ସମୀର କହିଛନ୍ତି । ଗାନ୍ଧୀଜୀଙ୍କ ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ବିଶ୍ବରେ ଆଗେଇ ନେବା ସହ ସଚେତନତା ସୃଷ୍ଟି କରୁଛନ୍ତି । ଏହି ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତ୍ତା ସ୍ବଦେଶୀ, ସ୍ବଚ୍ଛତା, ସ୍ବରାଜ, ସ୍ବାବଲମ୍ବୀ, ସାଧାରଣ ଓ ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ, ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ ଓ ସଚେତନା କରାଯିବ ବୋଲି ସମୀର ମହାନ୍ତି କହିଛନ୍ତି ।