ଭୁବନେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳ ସମ୍ପଦ ବିଭାଗର ସୂଚନା । ଗତ ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ହୋଇନି । ତେଣୁ ନଦୀଗୁଡିକରେ ଜଳସ୍ତର ନିୟନ୍ତ୍ରଣରେ ରହିଛି । ବିଶେଷ ବନ୍ୟା ଆଶଙ୍କା ସୃଷ୍ଟି ହୋଇନାହିଁ । ମହାନଦୀର ଉପର ମୁଣ୍ଡ ତଥା ଛତିଶଗଡ଼ରେ ବର୍ଷା ହୋଇଛି । ଫଳରେ ହୀରାକୁଦରୁ 12 ଗେଟ ଦେଇ ଜଳ ନିଷ୍କାସନ ହେଉଛି । ମୋଟାମୋଟି କହିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବନ୍ୟା ସ୍ଥିତି ସୃଷ୍ଟି ହୋଇନି ।
ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ଯେଉଁ ସବୁ ସ୍ଥାନରେ ଜଳସ୍ତର ଅଧିକ ଥିଲା, ଏବେ କିଛି ସ୍ଥାନରେ ସ୍ଥିର ଅଛି ଓ କିଛି ସ୍ଥାନରେ କମିଛି । ବୈତରଣୀ, ବ୍ରାହ୍ମଣୀ ଆଖୁଆପଦା, ଜେନାପୁର, ଇନ୍ଦୁପୁର, ମଥାନୀରେ ଜଳସ୍ତର କମୁଛି । ଜଳକାରେ ବିପଦ ସଙ୍କେତ ଉପରେ ଥିଲେ ବି ବିପଦ ନାହିଁ, କାରଣ ଉପର ମୁଣ୍ଡରେ ବର୍ଷା ନାହିଁ । କେବଳ କିଛି ତଳିଆ ଅଞ୍ଚଳ ଜଳମଗ୍ନ ରହିଛି । ଜଳ ସଠିକ ଭାବେ ନିଷ୍କାସନ ହେଉନଥିବାରୁ ଆସୁବିଧା ହେଉଛି । କୌଣସି ସ୍ଥାନରେ ବି ଜଳ ନଦୀ ଜଳବନ୍ଧ ଅତିକ୍ରମ କରିନି । ତେବେ ହୀରାକୁଦରେ ଗତକାଲି ୬ ଟି ଗେଟ ଖୋଲାଥିଲା ଏବଂ ଆଜି ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ଆଉ ୬ ଟି ଗେଟ ଖୋଲାଯାଇଛି । ଆବଶ୍ୟକ ସ୍ଥଳେ ପର୍ଯ୍ୟାୟ କ୍ରମେ ଆଉ ଅଧିକ ଗେଟ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ବର୍ତ୍ତମାନ ହୀରାକୁଦରେ ୬୨୮.୩ ମିଟର ଜଳସ୍ତର ରହିଛି । ହୀରାକୁଦକୁ ୨ ଲକ୍ଷ ୯୮ କ୍ୟୁସେକ ଜଳ ପ୍ରବେଶ କରୁଛି । ୧୨ ଗେଟ ଖୋଲାଯିବା ପରେ ୨ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।