ଓଡିଶା

odisha

ETV Bharat / city

ରାଜ୍ୟରେ ସୃଷ୍ଟି ହୋଇନାହିଁ ବନ୍ୟା ପରିସ୍ଥିତି: ଏସଆରସି - Flood situation in odisha

ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ରାଜ୍ୟରେ ସୃଷ୍ଟି ହୋଇନାହିଁ ବନ୍ୟା ପରିସ୍ଥିତି: ଏସଆରସି
ରାଜ୍ୟରେ ସୃଷ୍ଟି ହୋଇନାହିଁ ବନ୍ୟା ପରିସ୍ଥିତି: ଏସଆରସି

By

Published : Aug 20, 2020, 4:49 PM IST

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଗଷ୍ଟ ୧୯ ଓ ୨୦ ତାରିଖ ମଧ୍ୟରେ ମଧ୍ୟମରୁ ପ୍ରବଳ ବୃଷ୍ଟିପାତ ହୋଇଛି । ଏହି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱତନ୍ତ୍ର ରିଲିଫ୍‍ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ କ୍ଷେତ୍ର ସ୍ତରରେ ପ୍ରବଳ ବୃଷ୍ଟିପାତ ଏବଂ ତତ୍‍ଜନିତ ପରିସ୍ଥିତିର ସମୀକ୍ଷା କରିଥିଲେ ।

ରାଜ୍ୟରେ ସୃଷ୍ଟି ହୋଇନାହିଁ ବନ୍ୟା ପରିସ୍ଥିତି: ଏସଆରସି

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ ହାରାହାରି ୫୮.୫ ମି.ମି. ବୃଷ୍ଟିପାତ ହୋଇଅଛି । ୫ ଗୋଟି ଜିଲ୍ଲା ଯଥା ନବରଙ୍ଗପୁର, କଟକ, ଯାଜପୁର, କୋରାପୁଟ ଓ କେନ୍ଦ୍ରାପଡା ଜିଲ୍ଲାରେ ହାରାହାରି ବୃଷ୍ଟିପାତ ୧୦୦ ମି.ମି. ରୁ ଅଧିକ ହୋଇଥିବା ସ୍ଥଳେ ଆଉ ୧୦ଟି ଜିଲ୍ଲାରେ ୫୦ ମି.ମି. ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସମୀକ୍ଷାରୁ ଜଣାପଡେ ଯେ, କଟକ ଜିଲ୍ଲାର ସାଲେପୁର ବ୍ଲକରେ ୨୦ ତାରିଖରେ ସର୍ବାଧିକ ୩୦୦ ମି.ମି. ବୃଷ୍ଟିପାତ ହୋଇଥିବାର ରେକର୍ଡ କରାଯାଇଛି । ସେହିପରି କଟକ ଜିଲ୍ଲାର ନିଶ୍ଚିତକୋଇଲି ବ୍ଲକରେ ୨୯୭.୫ ମି.ମି., କଳାହାଣ୍ଡି ଜିଲ୍ଲାର ଧୁଆମୂଳ ରାମପୁର ବ୍ଲକରେ ୨୨୯.୪ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକରେ ୨୮୦ ମି.ମି. ଓ ନବରଙ୍ଗପୁର ବ୍ଲକରେ ୨୪୩ ମି.ମି. ବୃଷ୍ଟିପାତ ହୋଇଛି । ୪୭ ଗୋଟି ବ୍ଲକରେ ୧୦୦ ରୁ ୨୦୦ମି.ମି. ମଧ୍ୟରେ ଏବଂ ଆଉ ୮୫ ଗୋଟି ବ୍ଲକରେ ୫୦ ରୁ ୧୦୦ ମି.ମି. ମଧ୍ୟରେ ବର୍ଷା ରେକର୍ଡ ହୋଇଛି ।

ପ୍ରବଳ ବୃଷ୍ଟିପାତ ଫଳରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଅଛି । ତେବେ ସେଭଳି ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ । ବାଲେଶ୍ୱର ଜିଲ୍ଲାରେ ଥିବା ଜଳକା ନଦୀ ବସ୍ତା ବ୍ଲକର ମଥାନି ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ଏହା ଦ୍ୱାରା କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ମ୍ୟୁନିସପାଲଟି ଅଞ୍ଚଳରେ ୪ଟି ୱାର୍ଡ ତଥା- ୱାର୍ଡ ନଂ ୬, ୧୨, ୧୩ ଏବଂ ୨୧ ର ତଳିଆ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି । ଏହି ସବୁ ଅଞ୍ଚଳରୁ ପାଣି ପମ୍ପ ସାହାଯ୍ୟରେ ବର୍ଷାଜଳ ନିଷ୍କାସନ କରାଯାଉଛି । ସେହିପରି ଆଳି ବ୍ଲକର ମାନପୁର-ଗୋବିନ୍ଦପୁର ଗ୍ରାମ୍ୟ ରାସ୍ତା କେତେକ ସ୍ଥାନରେ ବର୍ଷା ଜଳ ଦ୍ୱାରା ବୁଡି ରହିଛି । ସିଂହା ଗ୍ରାମପଞ୍ଚାୟତର ବାରୋଳିଆ ଗ୍ରାମ ଓ ପେଣ୍ଠପାଳ ପଞ୍ଚାୟତର କୋଳଥିଆ ଗ୍ରାମର ପଞ୍ଚାୟତ ରାସ୍ତା ବର୍ଷା ପାଣିରେ ବୁଡି ରହିଛି । ମାତ୍ର ଯୋଗାଯୋଗ ବିଚ୍ଛିନ୍ନ ହୋଇନାହିଁ । ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ହେଉନାହିଁ । ଜୀବନଯାତ୍ରା ସ୍ୱାଭାବିକ ରହିଛି ।

ମାଲକାନଗିରି ଜିଲ୍ଲାରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବୃଷ୍ଟିପାତ ଫଳରେ କାଲିମେଳା ବ୍ଲକର କଙ୍ଗାରୁକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି । ମାଥିଲି ବ୍ଲକରେ ପଙ୍ଗାମ୍‍ ନଦୀର ଜଳସ୍ତର ପୋଲର ନିକଟବର୍ତ୍ତୀ ହୋଇଛି । ମୋଟୁ ବ୍ଲକର ମୋଗି ପଏଣ୍ଟ ସ୍ଥାନରେ ନଦୀର ଜଳସ୍ତର ଖସୁଛି ମାତ୍ର ସେଠାରେ ବର୍ଷା ଲାଗି ରହିଛି । ଏହି ଜିଲ୍ଲାର ଅନେକ ଅଞ୍ଚଳର ଚାଷଜମି ବର୍ଷାଜଳ ଦ୍ୱାରା ଜଳମଗ୍ନ ହୋଇଛି । ମୟୁରଭଞ୍ଜ ଜିଲ୍ଲାରେ ବୃଷ୍ଟିପାତ ଫଳରେ ଦୁଇଟି ଅଦିନିଆ ରାସ୍ତା ବର୍ଷାଜଳ ଦ୍ୱାରା ବିଚ୍ଛିନ୍ନ ହୋଇଛି । ବିଜତୋଳା ବ୍ଲକରେ କେତେକ ଘର କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ୍‍ ବଣ୍ଟନ କରାଯାଇଛି । ଗତକାଲି ସନ୍ଧ୍ୟାରେ ଜମ୍ବିରା ନଦୀର ଗୋଲମୁହାଁ ଘାଟରେ ନଦୀପାରି ହେବା ସମୟରେ ଗଣ୍ଡଗୁହାଳି ଗ୍ରାମର ଦୁଇ ଜଣ ବ୍ୟକ୍ତି ଯଥା ବୁଦ୍ଧେଶ୍ୱର ମାଝି ଓ ମଙ୍ଗଳ ମାରାଣ୍ଡି ନିଖୋଜ ଥିଲେ । ବୁଦ୍ଧେଶ୍ୱର ମାଝିର ମୃତ ଶରୀର ଉଦ୍ଧାର କରାଯାଇଛି ଏବଂ ଅନ୍ୟ ବ୍ୟକ୍ତିଙ୍କର ସନ୍ଧାନ କାର୍ଯ୍ୟ ଚାଲୁ ରହିଛି ।

କଳାହାଣ୍ଡି ଜିଲ୍ଲାରେ ହାତୀ ନଦୀର ଜଳସ୍ତର ବିରିପୁର ଓ ମାଟିଖାଲଠାରେ ବୃଦ୍ଧି ପାଇଛି । ତହସିଲଦାର ଓ ବିଡିଓ ସେହି ସ୍ଥାନରେ ରହି ପରିସ୍ଥିତି ପ୍ରତି ତୀକ୍ଷ୍‍ଣ ଦୃଷ୍ଟି ରଖିଛନ୍ତି । ଏହି ଜିଲ୍ଲାର ଧର୍ମଗଡ ବ୍ଲକର ବଡବାସୁଳ ଠାରେ ହାଲେର ଯୋର ୩ ଫୁଟ ଉପରେ ବର୍ଷାଜଳ ପ୍ରବାହିତ ହେଉଛି । ଫଳରେ ଜୁନାଗଡ ଓ ଧର୍ମଗଡ ଜାତୀୟ ରାଜପଥରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ସେଠାରେ ପୋଲିସ୍‍ କର୍ମଚାରୀ ମୁତୟନ ଅଛନ୍ତି । ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ଫଳରେ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବୃଦ୍ଧି ପାଉଛି ମାତ୍ର କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । କନ୍ଧମାଳ ଜିଲ୍ଲାରେ ବୃଷ୍ଟିପାତ ଫଳରେ ୩ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ପ୍ରଶାସନ ଦ୍ୱାରା ଆକଳନ କାର୍ଯ୍ୟ ଚାଲୁ ରହିଛି । କୋରାପୁଟ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ଫଳରେ କୁନ୍ଦ୍ରା ବ୍ଲକର ଘେରିଗୁଡା ଠାରେ ଗତକାଲି ରାତିରେ ରାସ୍ତା ବିଚ୍ଛିନ୍ନ ହୋଇଥିଲା । ମାତ୍ର ଆଜି ସକାଳୁ ଜଳସ୍ତର କମିବା ଫଳରେ ଗମନାଗମନ ସ୍ୱାଭାବିକ ହୋଇଅଛି ।

ବୌଦ୍ଧ ଜିଲ୍ଲାର ବୌଦ୍ଧ ବିଜ୍ଞପିତ ଅଞ୍ଚଳରେ ମହାନଦୀ ମଧ୍ୟରେ ଥିବା ଏକ ଗ୍ରାମ ବର୍ଷାପାଣି ଆସିବା ଦ୍ୱାରା ଗମନାଗମନ ବିଚ୍ଛିନ୍ନ ହୋଇଛି । ସେଠାରେ ଜନସାଧାରଣଙ୍କ ଯାତାୟତ ସୁବିଧା ନିମନ୍ତେ ଯନ୍ତ୍ରଚାଳିତ ଡଙ୍ଗାର ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ରାଜୁଆ ଓ ଦୟାନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଜଟଣୀ ବ୍ଲକର କିଛି ଚାଷଜମି ଓ ରାସ୍ତା ଜଳମଗ୍ନ ହୋଇଅଛି । ତେଣୁ ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details