ଓଡିଶା

odisha

ETV Bharat / city

ଫ୍ଲାଇଟ ପାଇଁ ଫାଇଟ: ମୁହାଁମୁହିଁ ବିଜେପି-ବିଜେଡି

ପୂରଣ ହୋଇଛି ବହୁଦିନର ଆଶା, ଆକାଂକ୍ଷା । ଶେଷରେ ଗୁଜୁରାଟର ସୁରଟକୁ ଉଡ଼ିଛି ଭୁବନେଶ୍ବରରୁ ବିମାନ । ଏହାର ଶ୍ରେୟ ନେବା ପାଇଁ ବିଜେପି- ବିଜେଡ଼ି ମଧ୍ୟରେ ଲାଗିଛି ବାକ୍ ଯୁଦ୍ଧ । ଅଧିକ ପଢନ୍ତୁ:

By

Published : Jan 23, 2020, 8:00 PM IST

flite-politics
flite-politics

ଭୁବନେଶ୍ବର: ଜାନୁଆରୀ ୨୦ରୁ ଭୁବନେଶ୍ବରରୁ ସିଧାସଳଖ ଗୁଜରାଟର ସୁରଟ ସହରକୁ ଆରମ୍ଭ ହୋଇଛି ବିମାନ ସେବା । ଏୟାର ଇଣ୍ଡିଆର ବିମାନ ଭୁବନେଶ୍ବରରୁ ସୁରଟ ଉଡିବା ନେଇ ନିଷ୍ପତ୍ତି ହୋଇଛି । ଯାତ୍ରୀମାନଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ହେଲେ ଏବେ ଏହାର ଶ୍ରେୟ ନେବାକୁ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ରାଜନୀତି । ବିମାନ ଚଳାଚଳର ଶ୍ରେୟ ପାଇଁ ଦୁଇ ଦଳ ମଧ୍ୟରେ ଟଣାଓଟରା ।

ଭୁବନେଶ୍ୱର ରୁ ସୁରଟ ଉଡିଲା ବିମାନ: ଶ୍ରେୟ ନେବା ପାଇଁ ବିଜେପି ବିଜେଡି ଟଣାଓଟରା

ଭୁବନେଶ୍ବରରୁ ସିଧାସଳଖ ସୁରଟ ବିମାନ ଚଳାଚଳ ପାଇଁ ବିଜେପି କେନ୍ଦ୍ର ସରକାରଙ୍କୁ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ଦେଉଥିବାବେଳେ ବିଜେଡି ଶ୍ରେୟ ଦେଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରୁ ବିମାନ ଚଳାଚଳ କଲା ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ସୂଚନା ଅନୁସାରେ ଗୁଜରାଟର ସୁରଟ ଠାରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରୁ ସୁରଟକୁ ସିଧାସଳଖ ବିମାନ ଚଳାଚଳ କରିବା ଲାଗି ଘୋଷଣା କରିବା ସହ ଏଥିନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

ଏହାର ଜବାବ ରଖି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ବିକାଶ କୌଣସି ଦଳୀୟ କାମ ନୁହେଁ । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକା ରହିଛି । ସୁରଟକୁ ସିଧା ବିମାନ ଉଡ଼ାଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ ଯୋଗୁଁ ହୋଇଛି । ତାଙ୍କ ଯୋଗୁଁ ଓଡ଼ିଶାର ବିକାଶ ହେଉଛି ବୋଲି ସେ କହିଛନ୍ତି । ଦୀର୍ଘ ବର୍ଷ ଧରି ଶାସନରେ ବିଜେଡି ଥିଲା ଆଗରୁ କାହିଁକି ବିମାନ ଚଳାଚଳ କରୁନଥିଲେ ବୋଲି ପ୍ରଶ୍ନ କରିଛି ବିଜେପି ।

ଏନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ ଏବଂ ଏନେଇ ଆଲୋଚନା ମଧ୍ୟ କରିଥିଲେ । ଆଗରୁ କାହିଁକି କେନ୍ଦ୍ର ସରକାର କଲେନି, କେବଳ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ଏହା ହୋଇଛି ବୋଲି କହିଛନ୍ତି ବିଜେଡ଼ି ନେତ୍ରୀ ।

ବିଜେପି କିଛି ନକରି ଶ୍ରେୟ ନେବାକୁ ଚାହୁଁଛି ବୋଲି ମଧ୍ୟ କହିଛନ୍ତି ପ୍ରମିଳା । ଶ୍ରେୟ ନେବା ପାଇଁ ବୃଥା ପ୍ରଚେଷ୍ଟା କରୁଛନ୍ତି ବିଜେପି ନେତା, ଲୋକମାନେ ଶ୍ରେୟ ଦେବେନି ବୋଲି ସେ କହିଛନ୍ତି । କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି ଯେ ,ବେସାମରିକ ବିମାନ ଚଳାଚଳ ବିଭାଗ, କେନ୍ଦ୍ର ସରକାରଙ୍କ ପାଖରେ ରହିଛି ସେମାନେ ଶ୍ରେୟ ନେବା ଉଚିତ, ଚିଠି ଖଣ୍ଡେ ଲେଖିଦେଇ ବିଜେଡି ଶ୍ରେୟ ନେବା ଠିକ୍ ନୁହେଁ ବୋଲି କହିଛନ୍ତି ପ୍ରଦୀପ ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details