ଭୁବନେଶ୍ବର: ଆଜିକାଲିର ବ୍ୟସ୍ତବହୁଳତା ଜୀବନରୁ କିଛି ସମୟ ଅବସର ନେବା ପାଇଁ ଲୋକମାନେ ଆପଣାଇଥାନ୍ତି ବିଭିନ୍ନ ପନ୍ଥା । ନିଜ ନିଜର ରୁଚି ଅନୁସାରେ ଲୋକମାନେ ଖାଲି ସମୟକୁ ଅତିବାହିତ କରିଥାନ୍ତି । ତେବେ ଅବସାଦଗ୍ରସ୍ତ ମନକୁ ବଦଳାଇବା ପାଇଁ ବହି ପଢାର ରହିଛି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା । ଆଉ ବହି ପଢିବା ପାଇଁ ଦରକାର ଶାନ୍ତ ପରିବେଶ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ବିଜୁ ପଟ୍ଟନାୟକ ପାର୍କ ବା ଫରେଷ୍ଟ ପାର୍କରେ ଭୁବନେଶ୍ୱର ବିକାଶ ପ୍ରାଧିକରଣ(BDA) ଓ ବକୁଳ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଖୋଲିଛି ଏକ ଲାଇବ୍ରେରୀ । ତେବେ ଯୁବପିଢିକୁ ପୁସ୍ତକ ପଢିବା ଲାଗି ପ୍ରୋତ୍ସାହନ ଯୋଗାଇବା ପାଇଁ ବିଶ୍ବ ଜଙ୍ଗଲ ଦିବସ ଅବସରରେ ଏହି ପାର୍କକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି ।
ରାଜଧାନୀରେ ପ୍ରଥମ ଥର ପାଇଁ ପାର୍କ ମଧ୍ୟରେ ଖୋଲିଛି ଏହି ଲାଇବ୍ରେରୀ । ବିଡିଏ ଏବଂ ବକୁଳ ଫାଉଣ୍ଡେସନର ମିଳିତ ସହଯୋଗରେ ଏହି ପାର୍କ ଲାଇବ୍ରେରୀ ଆରମ୍ଭ ହୋଇଛି । ଏହି ଲାଇବ୍ରେରୀରେ ବର୍ତ୍ତମାନ ୨ ହଜାର ବହି ରହିଛି । ଲାଇବ୍ରେରୀଟି ପ୍ରତ୍ୟେକ ସପ୍ତାହର କେବଳ ସୋମବାର ଦିନ ବନ୍ଦ ରହିବାକୁ ଥିବା ବେଳେ ଅନ୍ୟ ସବୁଦିନ ସକାଳ ୭ରୁ ଦିନ ୧୦ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ପାର୍କକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ପାର୍କ ବୁଲିବା ସହିତ ଏଠାରେ ଜ୍ଞାନ ଆହରଣ କରିପାରିବେ ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।