ଭୁବନେଶ୍ବର: ୫-‘ଟି’ ଅନ୍ତର୍ଗତ କାର୍ଯ୍ୟକ୍ରମରେ ମାର୍କଫେଡ୍ର ସାରଯୋଗାଣ ଓ ଆର୍ଥିକ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ କରାଯାଇଛି । ଫଳରେ ମାର୍କଫେଡ ଦ୍ୱାରା ରାଜ୍ୟର ଚାଷୀମାନଙ୍କୁ ସାର ଯୋଗାଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରାଯିବା ସହିତ ସଠିକ୍ ସମୟରେ ଚାଷୀମାନଙ୍କୁ ଆବଶ୍ୟକ ସାର ଯୋଗାଇ ଦିଆଯାଇ ପାରିବ । ଏହା ଦ୍ୱାରା ଚାଷୀ ଉପକୃତ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ ବୋଲି କହିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ମାର୍କଫେଡ୍-ଓଡ଼ିଶାର ମୁଖ୍ୟ କାର୍ଯ୍ୟାଳୟରେ ସାର ଆବଣ୍ଟନ ଓ ଆର୍ଥିକ ପରିଚାଳନାର କମ୍ପ୍ୟୁଟରୀକରଣ ବ୍ୟବସ୍ଥା ‘ସମନ୍ୱିତ’ର ଉଦ୍ଘାଟନ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ନୂତନ ବ୍ୟବସ୍ଥା ପ୍ରଚଳନ ଦ୍ୱାରା ସାର ଯୋଗାଣର ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ । ସାର ଉତ୍ପାଦନକାରୀ କମ୍ପାନୀ ଓ ଆମଦାନୀକାରୀଙ୍କଠାରୁ ଆରମ୍ଭ କରି ପାଇକାରୀ ଏବଂ ଖୁଚୁରା ସାର ବ୍ୟବସାୟୀଙ୍କୁ ସାର ଯୋଗାଣ ଓ ପରିବହନ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇପାରିବ । ଏଥିରେ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସ୍ୱଚ୍ଛ କରାଯିବା ସହିତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।