ଭୁବନେଶ୍ବର: ନୀତି ଆୟୋଗ ବୈଠକରୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଉକ୍ତ ବୈଠକରେ ଭାଗଚାଷୀଙ୍କୁ କୃଷିଋଣ ପ୍ରଦାନ ଓ ଅନ୍ୟ ଚାଷୀମାନଙ୍କୁ ଯେଉଁଭଳି ଭାବେ ସୁବିଧା ଦିଆଯାଉଛି ସେହିଭଳି ସୁବିଧା ମାଛଚାଷ, ପଶୁପାଳନ ଓ ହର୍ଟିକଲଚର ଭଳି ବିଭାଗରେ ଲାଗୁ କରିବା ପାଇଁ ରାଜ୍ୟ ପ୍ରସ୍ତାବ ଦେଇଥିବା ନେଇ କହିଛନ୍ତି ମନ୍ତ୍ରୀ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର ଏଥିସହ ଏହି ଶ୍ରେଣୀର ଚାଷୀଙ୍କୁ କିଭଳି ସୁବିଧାରେ ଋଣ ଓ ବୀମା ମିଳିପାରିବ ସେନେଇ ନୀତି ନିର୍ଦ୍ଧାରଣ କରିବା ପାଇଁ ରାଜ୍ୟ ଦାବି କରିଛି । କେବଳ ଏତିକି ନୁହେଁ, ପାରମ୍ପରିକ ଚାଷ ବଦଳରେ ରାଜ୍ୟରେ ଅର୍ଥନୀତିକ ଫାଇଦା ଥିବା ଚାଷକୁ ଉତ୍ସାହିତ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ଦିଗରେ ଧ୍ୟାନ ଦେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।
ସେହିଭଳି ଚାଷ ସମ୍ବନ୍ଧିତ ମ୍ୟାପ୍ ସୁବିଧା ପାଇଁ ମଧ୍ୟ କୁହାଯାଇଛି । ରାଜ୍ୟର ପ୍ରମୁଖ ଚାଷ ଭାବେ ପରିଚିତ ଧାନ ବଦଳରେ ଅଧିକ ଲାଭ ଦେଉଥିବା ଡାଲି, ପନିପରିବା, ତୈଳବୀଜ ଓ ସମୟୋପଯୋଗୀ ଚାଷକୁ ପ୍ରୋତ୍ସାହନ ଦେଇ ଏ କ୍ଷେତ୍ରରେ ରାଜ୍ୟକୁ ସହାୟତା କରିବା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି । ଏହା ବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସୁଧାର ଆଣି ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ମହଜୁଦ ରଖିହେବ ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଛନ୍ତି । ତେବେ ଆବଶ୍ୟକ ସମୟରେ ଏହି ସାମଗ୍ରୀକୁ ବିକ୍ରି କରି ରାଜ୍ୟର ଚାହିଦା ମେଣ୍ଟାଇବା ସମ୍ଭବପର ବୋଲି କୁହାଯାଇଛି ।
ପ୍ରକାଶ ଯେ, କୃଷିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣିବା ପାଇଁ ଶୁକ୍ରବାର ମୁମ୍ବାଇରେ ଆୟୋଜିତ ନୀତି ଆୟୋଗ ଅଧିବେଶନରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ