ଭୁବନେଶ୍ବର: ରାଜ୍ୟରେ ଧାନ କିଣା ପ୍ରସଙ୍ଗକୁ ନେଇ ବିଜେଡି- ବିଜେପି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଧାନ କିଣା ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ସୁବିଧାବାଦୀ ରାଜନୀତି କରୁଥିବା ବିଜେଡି ଅଭିଯୋଗ କରିଛି । ସେପଟେ ବିଜେପି କହିଛି, ପଲିସି ଆଧାରରେ ରାଜ୍ୟ ସରକାର ଧାନ ସଂଗ୍ରହ ଠିକ ଢଙ୍ଗରେ କରୁନାହାନ୍ତି ।
ଧାନ କିଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି ଯେ, ଧାନ କିଣା ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ସୁବିଧାବାଦୀ ରାଜନୀତି କରୁଛି । ବିଭିନ୍ନ ରାଜ୍ୟ ପାଇଁ ବିଭିନ୍ନ ଷ୍ଟାଣ୍ଡ ନେଉଛି ବିଜେପି ।
ଚାଷୀଙ୍କର ଯେତିକି ଉତ୍ପାଦନ ତାକୁ ସଂଗ୍ରହ କରିବା ପାଇଁ ଓଡ଼ିଶା ସରକାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ଟାର୍ଗେଟଠୁ ମଧ୍ୟ ଅଧିକ ଧାନ ସଂଗ୍ରହ ହେଉଛି । ଉତ୍ପାଦନ ଅଧିକ ହେଉଥିବାରୁ କିଛି ଧାନ ବଳକା ରହିଯାଇଛି । ସେ ଧାନ ଚାଷୀ ସୁରୁଖୁରୁରେ ବିକ୍ରି କରି ପାରୁ ବୋଲି ଆମେ ଚାହୁଁଛୁ । ସେଥିପାଇଁ ଯାହା ପଦକ୍ଷେପ ନେବାର ଆବଶ୍ୟକ ଅଛି ରାଜ୍ୟ ସରକାର ସେ ପଦକ୍ଷେପ ନେଉଛନ୍ତି । ଚାଷୀ ସମସ୍ୟାକୁ ନେଇ ସରକାର ସବୁବେଳେ ଚିନ୍ତିତ । ଆମେ କେବେ ବି ଚାଷୀ ମାରଣ ନୀତି ଗ୍ରହଣ କରୁନା । ଅନେକ ସମୟରେ ସରକାରଙ୍କ ପଲିସି ଠିକ ଥାଏ ମାତ୍ର କାର୍ଯ୍ୟକ୍ଷମ ସ୍ତରରେ କିଛି ତ୍ରୁଟି ବିଚ୍ୟୁତି ଦେଖାଦିଏ । ତାକୁ ସରକାର ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।