ଭୁବନେଶ୍ବର: ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଉଦ୍ଧାର ହେଲେ ଶ୍ରୀଲଙ୍କାରେ ଫସିଥିବା ଦାଦନ ଶ୍ରମିକ। ମୋଟ 11 ଜଣଙ୍କ ମଧ୍ୟରୁ 4ଜଣ ଶ୍ରମିକଙ୍କୁ ଓଡିଶା ଫେରାଇଛନ୍ତି ଭାରତୀୟ ଦୂତାବାସ।
ଉଦ୍ଧାର ହୋଇଥିବା ଶ୍ରମିକ ହେଲେ ଖୋର୍ଦ୍ଧା ବାଣପୁରର ଦେବରାଜ ନାୟକ, ଆଶିଷ ମହାରଣା, ପଙ୍କଜ ପ୍ରଧାନ ଏବଂ ବାଲେଶ୍ବରର କିସନ ତରାଇ। ସେମାନେ ଶ୍ରୀଲଙ୍କାରୁ ବିମାନ ଯୋଗେ ଚେନ୍ନାଇ ପହଞ୍ଚିଥିଲେ। ବିମାନବନ୍ଦରରେ ଓହ୍ଲାଇବା ପରେ ଟ୍ରେନ ଯୋଗେ ଓଡିଶା ଫେରିଥିଲେ। ଘରେ ପହଞ୍ଚିବା ପରେ ନାହିଁ ନଥିବା ଖୁସି ଫେରିଛି ସେମାନଙ୍କ ମୁହଁରେ।
ଇଟିଭି ଭାରତ ମହାପ୍ରଭାବ, ଓଡିଶା ଫେରିଲେ ଶ୍ରୀଲଙ୍କାରେ ଫସିଥିବା 4 ଶ୍ରମିକ ଏହା ସହ ବାକି 7 ଜଣ ଓଡିଆ ଶ୍ରମିକଙ୍କ ଫେରିବା ନେଇ ଭାରତୀୟ ଦୂତାବାସ ବ୍ୟବସ୍ଥା କରୁଥିବା ଖବର ମିଳିଛି। 11ଜଣ ଶ୍ରମିକଙ୍କୁ ଶ୍ରୀଲଙ୍କାର ଏକ କମ୍ପାନୀରେ ଚାକିରି ଦେବା ନାଁରେ ଦୀପକ ପାଢୀ ଓ ପ୍ରକାଶ ସାମନ୍ତରାୟ ନାମକ ଦୁଇ ଜଣ ଠିକାଦାର ଶ୍ରୀଲଙ୍କା ପଠାଇଥିଲେ। ହେଲେ ସେଠାରେ ଏହି ଶ୍ରମିକଙ୍କୁ 15ରୁ ଅଧିକ ଘଣ୍ଟା ଖଟାଇବା ସହ ଖାଇବାକୁ କେବଳ ଭାତ, ଡାଲି ଦେଇଥିଲେ। ଏହାସହ ସେମାନଙ୍କୁ ଉଚିତ ପାରିଶ୍ରମିକ ମଧ୍ୟ ଦେଇନଥିଲେ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ। ଗତ 7 ତାରିଖରେ ଇଟିଭି ଭାରତରେ ଖବର ପ୍ରସାରଣ କରାଯାଇଥିଲା। ଏହାପରେ ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ରବିବାର ଉଦ୍ଧାର କରାଯାଇଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ