ଭୁବନେଶ୍ବର: ନନ୍ଦନକାନନରେ ଗଡିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ହାତୀମୁଣ୍ଡ । ହରପିସ ଭୂତାଣୁର ସଂକ୍ରମଣରେ ପୂର୍ବରୁ 3ଟି ହାତୀ ଆଖି ବୁଜିଥିବାବେଳେ ଶୁକ୍ରବାର ରାତିରେ ଗଡିଛି ଆଉ ଏକ ମୁଣ୍ଡ । ଏହାକୁ ମିଶାଇ ଗତ 4 ସପ୍ତାହରେ ଗଡିଲାଣି ମୋଟ 4 ମୁଣ୍ଡ । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମାସକ ଭିତରେ ଚାଲିଥିବା ଏହି ହାତୀ ମଡକ ପରେ ହାତୀ ସୁରକ୍ଷା ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି ହାତୀ ମଡକ । ଲଗାତାର ଭାବେ ହାତୀ ମୃତ୍ୟୁ ବଢି ଚାଲିଥିବାବେଳେ ବର୍ଷ ବର୍ଷ ଧରି ହାତୀମାନଙ୍କୁ କିପରି ସୁରକ୍ଷା ଦିଆଯାଉଛି, ତାହା ସ୍ପଷ୍ଟ ଜଣାପଡିଛି । ପ୍ରକାଶ ଯେ ସେଣ୍ଟ୍ରାଲ ଜୁ ଅଥରିଟି 2009 ନଭେମ୍ବର 7ରେ ସମସ୍ତ ଚିଡିଆଖାନାକୁ ହାତୀ ସୁରକ୍ଷା ନେଇ ଚିଠି ଦିଆଯାଇଥିଲା । ଯେଉଁଥିରେ କୌଣସି ଚିଡିଆଖାନାରେ ହାତୀମାନଙ୍କୁ ନବାନ୍ଧିବା ପାଇଁ ସ୍ପଷ୍ଟ କରାଯାଇଥିଲା ।
ଅପରପକ୍ଷେ ନନ୍ଦନକାନନରେ ହାତୀଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ଓୟୁଏଟି ପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ରହିଥିଲେ । ଏହା ସତ୍ତ୍ବେ ବି 4 ସପ୍ତାହରେ 4 ହାତୀଙ୍କ ମୃତ୍ୟୁ ନନ୍ଦନକାନନରେ ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଠାରେ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟାରେ ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ?
ଘଟଣାକ୍ରମେ ଚଳିତ ବର୍ଷ ଅଗଷ୍ଟ 25 ତାରିଖରେ ହରପିସ ଭାଇରସ ସଂକ୍ରମଣରେ ପ୍ରଥମେ ଆଖି ବୁଜିଥିଲା ମାଈ ହାତୀ ‘ଜୁଲି’ ।