ଭୁବନେଶ୍ବର: ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଆସନ ପାଇଁ ଆଜି ଶେଷ ଦିନରେ ୧୭୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଲୋକସଭା ଆସନ ପାଇଁ ୨୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟର ୪୨ଟି ବିଧାନସଭା ଆସନ ପାଇଁ ସର୍ବମୋଟ ୩୮୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଥିବାବେଳେ ୬ଟି ଲୋକସଭା ଆସନ ପାଇଁ ସର୍ବମୋଟ ୬୧ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଆଲର୍ଟ ମୋଡରେ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୬୬୦ଟି ଜାମିନବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୪୭,୫୩୨ ଜଣଙ୍କୁ ଅଟକ ରଖାଯାଇଛି । ୫୦୪୪ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସମ୍ପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି ।
ଏହାସହ ଲାଇସେନ୍ସ ନଥିବା ୨୧୪ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ ୧୧,୨୫୧୯.୯୪୫ ଲିଟର ମଦ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୩ କୋଟି ୩୧ ଲକ୍ଷ ୯୧ ହଜାର ୨୬୫ ଟଙ୍କା ହେବ । ଫ୍ଲାଇଙ୍ଗ ସ୍କ୍ବାଡ୍ ଓ ପୋଲିସ ଦ୍ବାରା ଆଜି ପର୍ଯ୍ୟନ୍ତ ୨ କୋଟି ୩୧ ଲକ୍ଷ ୧୯ ହଜାର ୪୦୦ ଟଙ୍କା ଜବତ କରାଯାଇଛି ।