ଓଡିଶା

odisha

ETV Bharat / city

ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଇଫେକ୍ଟ - Effect of Modi praising BJD

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାଜ୍ୟସଭାରେ ବିଜେଡି ସାଂସଦଙ୍କ ଶୃଙ୍ଖଳିତ ଆଚରଣକୁ ପ୍ରଶଂସା କରିବା ପରେ ଆଜି ତାକୁ ନେଇ ବିଧାନସଭାରେ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ପରସ୍ପରକୁ ତୀର୍ଯ୍ୟକ ସମାଲୋଚନା କରିଛନ୍ତି ।

ଡିଜାଇନ ଫଟୋ

By

Published : Nov 19, 2019, 7:16 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରାଜ୍ୟସଭାରେ ବିଜେଡି ସାଂସଦଙ୍କ ଶୃଙ୍ଖଳିତ ଆଚରଣକୁ ପ୍ରଶଂସା କରିବା ପରେ ଆଜି ତାକୁ ନେଇ ବିଧାନସଭାରେ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ପରସ୍ପରକୁ ତୀର୍ଯ୍ୟକ ସମାଲୋଚନା କରିଛନ୍ତି । ସେପଟେ ବାଚସ୍ପତି ମଧ୍ୟ ଗତକାଲି ବିରୋଧୀ ଦଳ ନେତାଙ୍କୁ ଅଜାଣତରେ ଅଣଦେଖା କରିବାକୁ ନେଇ ଆଜି ଗୃହରେ ସରି ବୋଲି କହିଛନ୍ତି ।

ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଇଫେକ୍ଟ

ଗତକାଲି ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ଆଜି ବିଧାନସଭାରେ ବଦଳିଛି ମୁଖ୍ୟ ବିରୋଧୀ ଦଳର ଭୂମିକା । ବିରୋଧୀ ଦଳ ଆଜି ଗୃହରେ ଶୃଙ୍ଖଳିତ ଭାବେ ସବୁ ଆଲୋଚନାରେ ଭାଗ ନେଇଛନ୍ତି । ତେବେ ଶୂନ୍ୟକାଳରେ ବାଚସ୍ପତି ତାଙ୍କ ରୁଲିଂ ଦେଇ ‘ସରି’ ବୋଲି କହିଥିଲେ । କାରଣ ସେ ସ୍ବୀକାର କରିଥିଲେ ଯେ, ଗତକାଲି ଅପରାହ୍ନ ଅଧିବେଶନରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନିଜ ବକ୍ତବ୍ୟ ରଖୁଥିବା ସମୟରେ ସେ ପୂର୍ବରୁ ଗୃହରେ ଆଲୋଚନା ହୋଇସାରିଥିବା କଥା ପୁଣି ଥରେ ଦୋହରାଉଛନ୍ତି ଭାବି ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଏଥିପାଇଁ ସେ ଦୁଃଖ ପ୍ରକାଶ କରିବା ସହ ଶୂନ୍ୟକାଳର ବିରୋଧୀ ଦଳ ନେତା ପୁଣି ଥରେ ନିଜ ବକ୍ତବ୍ୟ ରଖିଥିଲେ ।

ବିରୋଧୀ ଦଳ ନେତା ବାଚସ୍ପତିଙ୍କ ଉଦାରତା ପାଇଁ କୃତଜ୍ଞତା ଜଣାଇଥିଲେ ମଧ୍ୟ ପରୋକ୍ଷରେ ବାଚସ୍ପତିଙ୍କ ପକ୍ଷପାତିତାକୁ ସମାଲୋଚନା କରିଥିଲେ । ସେ ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ଉଦାହରଣ ଦେଇ କହିଥିଲେ ଯେ, ‘ବାଚସ୍ପତି ଦାୟିତ୍ବ ନେବା ପରେ ସେ ସିପିଆଇରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ପୂର୍ବତନ ବାଚସ୍ପତିମାନେ ଏହି ବିଧାନସଭାର ଯେଉଁ ଗାରିମା ସୃଷ୍ଟି କରିଛନ୍ତି ତାକୁ ନିନ୍ଦିତ କରାନଯାଉ ।’

ସେହିଭଳି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ବକ୍ତବ୍ୟକୁ ଉଦ୍ଧୃତ କରି କହିଥିଲେ ଯେ, ‘ବିଧାନସଭାର ସବୁ ସଦସ୍ୟ ନିଜ ନିଜ କଥା କହିବାର ସମାନ ଅଧିକାର ଅଛି ଏବଂ ସମସ୍ତଙ୍କୁ ସୁରକ୍ଷା ଦେବାର ଦାୟିତ୍ବ ବାଚସ୍ପତିଙ୍କର । ବିଜେପି ବିଧାନସଭାରେ ବିରୋଧୀ ଦଳ ଆସନରେ କାହା ଦୟାରେ ହୋଇନି । ଲୋକେ ଭୋଟ ଦେଇ ବିରୋଧୀ ଦଳ ଆସନରେ ବସାଇଛନ୍ତି ।’ ଏଦିଗରେ କୌଣସି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳରୁ ଜିତିକି ଆସିଥିବାରୁ ଏବଂ ସେହି ଦଳ ସରକାରରେ ଥିବାରୁ ତାଙ୍କୁ ସୁରକ୍ଷା ଦେବା ଉଚିତ ନୁହେଁ ବୋଲି କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ବାଚସ୍ପତିଙ୍କ ପ୍ରତି ବିରୋଧୀ ଦଳ ନେତା କରିଥିବା ପରୋକ୍ଷ ଆକ୍ଷେପକୁ ନାପସନ୍ଦ କରିଥିଲେ ବିଜେଡି ବିଧାୟକ ଅମର ଶତପଥୀ । ଯେଉଁଠି ପ୍ରଧାନମନ୍ତ୍ରୀ ବିଜେଡି ସାଂସଦଙ୍କ ଆଚରଣ ପାଇଁ ସଂସଦରେ ପ୍ରଶଂସା କରୁଛନ୍ତି, ସେଠି କେହି ବାଚସ୍ପତି ସରି ବୋଲି କହିସାରିବା ପରେ ତାଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସ୍ପୃହଣୀୟ ନୁହେଁ । ବରଂ ଏଠି ମଧ୍ୟ ବିରୋଧୀ ଦଳ ବିଜେଡି ଆଚରଣରୁ ଶିକ୍ଷା ନେବା ଉଚିତ । ବିଜେପି ଯେପରି କାହା ଦୟାରେ ବିରୋଧୀ ଦଳ ଆସନରେ ବସିନି, ବିଜେଡି ମଧ୍ୟ ସେହିଭଳି କାହା ଦୟାରେ ପଞ୍ଚମ ଥର ପାଇଁ ସରକାର ଗଠନ କରିନି ବୋଲି ସେ କହିଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ‘ବିଜେଡି ଓ ବିଜେପି ନିର୍ବାଚନ ଆଗରୁ ମଧ୍ୟ ଏକ ଥିଲେ, ଏବେ ବି ଏକ । ସେମାନେ କେବଳ ପ୍ରସଙ୍ଗ ଦୂରେଇ ଦେବାକୁ ଲଢେଇ କରୁଛନ୍ତି ।’

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details