ଭୁବନେଶ୍ବର: ‘ଆମ ଘରର ହାଲଚାଲ’ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ରାଜ୍ୟ କାହିଁକି ପୁରା ଦେଶରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବରେ ପରିଚୟ ସୃଷ୍ଟି କରିଥିବା ବିଜୁ ଜନତା ଦଳର କନ୍ଦଳ ରାସ୍ତାରେ ଦେଖିବାକୁ ମିଳିଲାଣି । ଜଣେ ବୃତ୍ତି , ପାର୍ଟି, ମାର୍ଟିକୁ ଆଧାର କରି ବାର୍ତ୍ତା ଦେଉ ଥିବାବେଳେ ଆଉ ଜଣେ ତାଙ୍କ ବୃତ୍ତି ମୁଖା ତଳେ ଲୁଚି ରହିଥିବା ମୁହଁକୁ ଲୋକଲୋଚନକୁ ଆଣିଥିବା ଦେଖିବାକୁ ମିଳିଛି ।
ଏହି କିଛିଦିନ ହେବ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତିରେ ଖଇ ଫୁଠୁଛି । ମମିତାଙ୍କୁ ନ୍ୟାୟ ଦେବା ସ୍ବର ଠାରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଚିତ୍କାର ଅଧିକ ଶୁଭୁଛି । ଏଇଟା ବି ଯେ, କେଉଁ ବଡ କଥା ? ବିରୋଧୀ ତ ଏପରି କରିବେ । ହେଲେ ମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଚୁପ୍ ରହିଥିବା ଶାସକ ବିଜେଡି ଘରରୁ ଜଣେ ଏବେ ଇସ୍ତଫା ସପକ୍ଷରେ ବାହାରିଛନ୍ତି । ଇସ୍ତଫାକୁ ନେଇ ଖୋଦ୍ ଦିବ୍ୟଶଙ୍କର ଏବଂ ବିଜେଡି ସୁପ୍ରିମୋ ଚୁପ୍ ବସି ଥିବାବେଳେ ସମ୍ପାଦକୀୟ ଯୁଦ୍ଧରେ ବ୍ୟସ୍ତ ବର୍ତ୍ତମାନର ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ।
ଗତକାଲି 'ସମ୍ବାଦ' ଖବରକାଗଜ ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟ ନିଜ ସମ୍ପାଦକୀୟରେ 'ଆମ ଘରର ହାଲଚାଲ'ରେ ମନ୍ତ୍ରୀଙ୍କ ଇସ୍ତଫା ନେଇ ତେରଛା ବାଣ ମାରିଥିଲେ । ପୂର୍ବରୁ ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ତତକାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଇସ୍ତଫା ଠୁ ଆରମ୍ଭ କରି ରେଳ ଦୁର୍ଘଟଣା ପାଇଁ ନୈତିକତା ଦୃଷ୍ଟିରୁ ଲାଲବାହାଦୂର ଶାସ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିବା ଘଟଣାକୁ ପୁନରାବୃତ୍ତି କରିଛନ୍ତି । ଏଥିସହ ନୈତିକ ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ଅତନୁ ସବ୍ୟସାଚୀ ଇସ୍ତଫା ଦେବା ଏବଂ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ନ ଦେବାକୁ ନେଇ ସୌମ୍ୟ ଦଳରେ ୨ ପ୍ରକାର ମାପଦଣ୍ଡ ଚାଲିଛି ବୋଲି ଅଭିଯୋଗ କରିଥିଲେ ।
ସେହିପରି ଖବର ପ୍ରସାରଣ ସମୟରେ ଗଣମାଧ୍ୟମକୁ ନୈତିକତା ଶିଖାଇବା ଏବଂ ମା' ମାଣିକେଶ୍ବରୀଙ୍କ ଦ୍ବାହି ଦେବାକୁ କଟାକ୍ଷ କରିଛନ୍ତି ସୌମ୍ୟ । ଅତ୍ୟନ୍ତ ଅସହାୟ ମନେକରି ଦିବ୍ୟଶଙ୍କର ମା'ଙ୍କ ନିକଟରେ ସରଣାପନ୍ନ ହୋଇଥିବା କହିଛନ୍ତି । ହେଲେ ମନ୍ତ୍ରୀ କେଉଁ କାରଣରୁ ଅସହାୟ ହୋଇପଡୁଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଗତ ୩ ସପ୍ତାହ ମଧ୍ୟରେ ମନ୍ତ୍ରୀଙ୍କ ଆଚରଣ ମଧ୍ୟ ସନ୍ଦେହ ଓ ଦ୍ବନ୍ଦ୍ବକୁ ବଢାଇଥିବା ସୌମ୍ୟ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗନଦେବାକୁ ଇସାରା କରିଛନ୍ତି ସୌମ୍ୟ । ତେବେ ଏସବୁ ଆଲୋଚନା ସହ ପାର୍ଟି, ମାଟି ଏବଂ ବୃତ୍ତିକୁ ଆଧାର କରି ମନ୍ତ୍ରୀଙ୍କ ଇସ୍ତଫା ଆବଶ୍ୟକ ବୋଲି ସୌମ୍ୟଙ୍କ ଇସାରା ବୋଲି ସ୍ପଷ୍ଟ ହୁଏ ।