ଭୁବନେଶ୍ବର: ଝାରସୁଗୁଡ଼ା ସହର ଓ ଆଖପାଖ ଅଞ୍ଚଳରେ ଦୂର ହେବ ପାନୀୟ ଜଳ ସମସ୍ୟା । 24 ଘଣ୍ଟା ପାଣି ପାଇବେ ଅଞ୍ଚଳବାସୀ । ଆସନ୍ତା ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସମସ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଏନେଇ ଆଜି(ଶନିବାର) ଝାରସୁଗୁଡାର ଡ୍ରେନେଜ, ସ୍ବଚ୍ଛ ଓ ପାନୀୟ ଜଳ ବ୍ୟବସ୍ଥାର ସୁପରିଚାଳନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଛି । ପଞ୍ଚାୟତିରାଜ, ପାନୀୟ ଜଳ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଝାରସୁଗୁଡ଼ା ସହରର ବର୍ଦ୍ଧିତ ରୂପ ରେଖ ଓ ଆଗାମୀ ଭବିଷ୍ୟତକୁ ଆଖି ଆଗରେ ରଖି ସହରରେ ପାନୀୟ ଜଳ ଯୋଗାଣ ୨୦୨୨ ମାର୍ଚ୍ଚ ସୁଦ୍ଧା ସାରିବାକୁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହାଦ୍ଵାରା ସହରର ଜନସାଧାରଣ ୨୪ ଘଣ୍ଟା ଉନ୍ନତମାନର ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ । ସେହିପରି ଡ୍ରେନେଜ ବ୍ୟବସ୍ଥା, ସ୍ବରେଜ ଓ ସେପ୍ଟେଜ ଯୋଜନା ସହ ଝାରସୁଗୁଡ଼ା ସହର ପାଇଁ ଏକ ପରିବର୍ତ୍ତିତ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।