ଓଡିଶା

odisha

By

Published : Jun 17, 2021, 1:42 PM IST

Updated : Jun 17, 2021, 2:06 PM IST

ETV Bharat / city

ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ପାଇଁ ଖର୍ଚ୍ଚ ହେବ 8500 କୋଟି: ମୁଖ୍ୟମନ୍ତ୍ରୀ

ଡାକ୍ତରମାନଙ୍କ ପାଇଁ ଆମ ମନରେ ଅନେକ ସମ୍ମାନ ରହିଛି ବୋଲି ନବନିଯୁକ୍ତ 786 ଡାକ୍ତରଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ମହାମାରୀରେ ଦେବଦୂତ ସାଜିଛନ୍ତି ଡାକ୍ତର
ମହାମାରୀରେ ଦେବଦୂତ ସାଜିଛନ୍ତି ଡାକ୍ତର

ଭୁବନେଶ୍ବର: ଜନସାଧାରଣଙ୍କୁ ସର୍ବଶ୍ରେଷ୍ଠ ଚିକିତ୍ସା ଯୋଗାଇବା ରାଜ୍ୟ ସରକାରଙ୍କର ପ୍ରଥମ ଲକ୍ଷ୍ୟ । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା କରିବା ପାଇଁ ସରକାଙ୍କ ପକ୍ଷରୁ 8500 କୋଟି ଟଙ୍କା ବିନିଯୋଗ ହେବ । ଆଉ ଏହି ମହାମାରୀ ସମୟରେ ଜନସାଧାରଣଙ୍କ ଲାଗି ଦେବଦୂତ ସାଜିଛନ୍ତି ଡାକ୍ତର । ସେମାନଙ୍କ ସ୍ପର୍ଶରେ ରୋଗୀ ନୂଆ ଜୀବନ ପାଉଛି । ଡାକ୍ତରମାନଙ୍କ ପାଇଁ ଆମ ମନରେ ଅନେକ ସମ୍ମାନ ରହିଛି ବୋଲି ନବନିଯୁକ୍ତ 786 ଡାକ୍ତରଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହାମାରୀରେ ଦେବଦୂତ ସାଜିଛନ୍ତି ଡାକ୍ତର

ଗତ କିଛିବର୍ଷ ହେଲା ବହୁ ସଂଖ୍ୟକ ମାନବ ସମ୍ବଳ ନିଯୁକ୍ତି ଜରିଆରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଉଦ୍ୟମ ଜାରି ରହିଛି । ସମାଜରେ ଡାକ୍ତରମାନଙ୍କ ପ୍ରତି ସ୍ବତନ୍ତ୍ର ସମ୍ମାନ ରହିଛି । ଜୀବନ ସଂଘର୍ଷ ସମୟରେ ଡାକ୍ତରଙ୍କୁ ଲୋକେ ଈଶ୍ବର ସହିତ ତୁଳନା କରୁଛନ୍ତି । ସାମ୍ପ୍ରତିକ କୋଭିଡ଼ ପରିସ୍ଥିତିରେ ଡାକ୍ତରଙ୍କୁ ସମୂଖ ଯୋଦ୍ଧା ଭାବେ ବିବେଚନା କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ଡାକ୍ତରମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ଼ ମହାମାରୀ ସମଗ୍ର ବିଶ୍ବ ସମେତ ଓଡ଼ିଶା ଉପରେ ଗଭୀର ପ୍ରଭାବ ପକାଇଛି । ଆମ ସ୍ବାସ୍ଥ୍ୟ ସେବା ଉପରେ ବହୁତ ଚାପ ରହିଛି । ଆମର ଭିତ୍ତିଭୂମି, ମାନବସମ୍ବଳ ଓ ଚିକିତ୍ସା ଉପକରଣ ଯୋଗାଣ ପ୍ରଭାବିତ ହୋଇଛି । ଏହା ସତ୍ତ୍ବେ ଉତ୍ସର୍ଗୀକୃତ ସ୍ବାସ୍ଥ୍ୟକର୍ମୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଆମେ ଅନେକ ମୂଲ୍ୟବାନ୍ ଜୀବନ ରକ୍ଷା କରିପାରିଛୁ । ଏବେ ଯଦିଓ ସଂକ୍ରମଣ ହାର କମୁଛି ତଥାପି ଆମକୁ ଅତ୍ୟନ୍ତ ସାବଧାନ ରହିବାକୁ ପଡ଼ିବ । ଦ୍ଵିତୀୟ ଲହର ଯୋଗୁଁ ଦେଖା ଦେଇଥିବା ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆପଣମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଯୁବ ଡାକ୍ତରମାନଙ୍କ କାନ୍ଧ ଉପରେ ବହୁତ ଦାୟିତ୍ବ ରହିଛି । ଦୀର୍ଘ ଦିନର ଅଧ୍ୟବସାୟ ପରେ ଆପଣମାନେ ମେଡିକାଲ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି । ଏଥିପାଇଁ ଆପଣଙ୍କ ପରିବାର ଓ ଆମେମାନେ ଗର୍ବିତ । ବର୍ତ୍ତମାନ ଆପଣମାନେ ସମାଜ ପାଇଁ ପ୍ରେରଣା ସାଜିଛନ୍ତି । କ୍ଷେତ୍ର ଉପରେ ଜନସାଧାରଣଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଆପଣମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ଦୁର୍ଗମ ଓ ବିଛିନ୍ନାଞ୍ଚଳରେ ନିଯୁକ୍ତ ହୋଇଥିବା ଅନେକ ଡାକ୍ତର ସରକାରୀ କାର୍ଯ୍ୟରୁ ଉର୍ଦ୍ଧ୍ବକୁ ଯାଇ ଲୋକଙ୍କ ସେବା କରୁଛନ୍ତି । ଏପରି ଡାକ୍ତରଙ୍କ ଉତ୍ସର୍ଗୀକୃତ ସେବା ମନୋଭାବରେ ପ୍ରେରିତ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ସମସ୍ତଙ୍କୁ ମାଗଣା ଚିକିତ୍ସା ସେବା ଏବଂ ଔଷଧ ଯୋଗାଇ ଦେଉଛନ୍ତି । ଓଡ଼ିଶାକୁ ଡାକ୍ତର ବହୁଳ ରାଜ୍ୟରେ ପରିଣତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେଉଛି ଏବଂ ଖୁବ ଶୀଘ୍ର ଏହି ଲକ୍ଷ୍ୟ ପୂରଣ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ବଡ଼ କଠିନ ପରିସ୍ଥିତି ମଧ୍ୟରେ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସାଧାରଣ ଅଞ୍ଚଳରୁ ଆରମ୍ଭ କରି ଦୁର୍ଗମ ଇଲାକାରେ ରହୁଥିବା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଦରିଦ୍ର ଓ ଅସହାୟ ଲୋକଙ୍କ ଆତ୍ମସନ୍ତୋଷ ହିଁ ଉତ୍ତମ ଶାସନ ବ୍ୟବସ୍ଥାର ପରିଚୟ । ଉନ୍ନତ ଜ୍ଞାନକୌଶଳ ଉପଯୋଗ କରି ତ୍ଵରିତ ଏବଂ ସନ୍ତୋଷଜନକ ସେବା ଦ୍ବାରା ଲୋକଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆସିପାରିବ । ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ୍', ମୁଖ୍ୟମନ୍ତ୍ରୀଙ୍କର ଏହି ଆହ୍ବାନକୁ ଦୃଷ୍ଟିରେ ରଖି ଜନସେବା କରିବା ପାଇଁ ନବ ନିଯୁକ୍ତ ଡ଼ାକ୍ତରମାନଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି ।

'ମୋ ସରକାର ଏବଂ ୫ - ଟି ' ସମ୍ପର୍କରେ ସୂଚନା ଦେବାକୁ ଯାଇ ପାଣ୍ଡିଆନ୍ କହିଛନ୍ତି ଯେ ରାଜ୍ୟ ସରକାର ଏକ ଉକୃଷ୍ଟ ମତାମତ ସଂଗ୍ରହ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ଯାହା ଜନସାଧାରଣଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି । ନିଜ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ପୂର୍ଣ୍ଣ ସହାନୁଭୁତି ଏବଂ ସମ୍ବେଦନଶୀଳତାର ସହ ଲୋକଙ୍କ ସେବା କରିବା ପାଇଁ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି । ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଚଳିତ ବର୍ଷରୁ କାର୍ଯ୍ୟକ୍ଷମ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇ କହିଛନ୍ତି । ୨୦୨୪ ସୁଦ୍ଧା ରାଜ୍ୟରେ ଆଉ ଦୁଇଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ସେ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିିଭି ଭାରତ

Last Updated : Jun 17, 2021, 2:06 PM IST

ABOUT THE AUTHOR

...view details