ଭୁବନେଶ୍ବର: ଚାଷୀମାନେ ହେଲେ ଆମ ସମସ୍ତଙ୍କ ଅନ୍ନଦାତା । ଚାଷୀଙ୍କ ପ୍ରଗତିରେ ଦେଶର ପ୍ରଗତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଏବଂ କୃଷକକଲ୍ୟାଣକୁ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର କାର୍ଯ୍ୟରତ । ଶାସନ କ୍ଷମତାକୁ ଆସିବା ପରେ ମୋଦି ସରକାର ନିରନ୍ତର ଭାବେ ଏମଏସପି ବୃଦ୍ଧି କରିଚାଲିଛନ୍ତି । ୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ମୋଦି ସରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି । ଖରିଫ ଫସଲ ପାଇଁ ଏମଏସପି ବୃଦ୍ଧି ଚାଷୀ ଭାଇଙ୍କୁ ଆର୍ଥିକ ସୁଦୃଢ କରିବା ସହ ଆତ୍ମନିର୍ଭର ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଖୁସି ବ୍ୟକ୍ତ କରି କହିଛନ୍ତି ।
ଚାଷୀଙ୍କ ଅଣ୍ଟା ସଳଖିବ MSP ବୃଦ୍ଧି: ସମୀର ମହାନ୍ତି - ଖରିଫ ଫସଲ
ଖରିଫ ଫସଲ ପାଇଁ ଏମଏସପି ବୃଦ୍ଧି ଚାଷୀ ଭାଇଙ୍କୁ ଆର୍ଥିକ ସୁଦୃଢ କରିବା ସହ ଆତ୍ମନିର୍ଭର ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଖୁସି ବ୍ୟକ୍ତ କରି କହିଛନ୍ତି । ଅଧିକ ପଢନ୍ତୁ...
ଆଜିର ଏ ସଂକ୍ରାନ୍ତରେ କେନ୍ଦ୍ର କ୍ୟାବିନେଟର ନିଷ୍ପତିକୁ ସ୍ୱାଗତ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ସମୀର ରାଜ୍ୟ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୭୨ ଟଙ୍କା ବୃଦ୍ଧି କରିଛନ୍ତି । ବର୍ତମାନ ଚାଷୀ ଧାନ କ୍ୱିଂଟାଲ ପିଛା ୧୯୪୦ ଟଙ୍କା ପାଇବ । ୨୦୧୩-୧୪ ମସିହାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୩୧୦ ଟଙ୍କା ଥିବାବେଳେ ମୋଦି ଶାସନରେ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ୧୯୪୦ ଟଙ୍କାରେ ପହଁଞ୍ଚିଛି । ଏହା ଦ୍ୱାରା ଆମ ରାଜ୍ୟର ଚାଷୀମାନେ ଲାଭାନ୍ୱିତ ହେବା ସହ ସେମାନଙ୍କ ଆର୍ଥକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ସମୀର କହିଛନ୍ତି ।
ସେହିପରି କ୍ୱିଂଟାଲ ପ୍ରତି ବାଜରାରେ ୨୧୫୦ରୁ ୨୨୫୦; ମାଣ୍ଡିଆରେ ୩୨୯୫ ରୁ ୩୩୭୭; ଜବାରେ ୨୬୨୦ରୁ ୨୭୩୮; ମକାରେ ୧୮୫୦ରୁ ୧୮୭୦; ହରଡ ଡାଲିରେ ୬୦୦୦ରୁ ୬୩୦୦, ମୁଗରେ ୭୧୯୬ ରୁ ୭୨୭୫ ଟଙ୍କାକୁ ବୃଦ୍ଧି ସହ ଅନ୍ୟାନ୍ୟ ଖରିଫ ଫସଲର ଏମଏସପି ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଆମ ରାଜ୍ୟର ଚାଷୀମାନେ ଅନ୍ୟ ଚାଷ କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ ହେବେ ବୋଲି ସମୀର କହିଛନ୍ତି ।
ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଆମ ରାଜ୍ୟର ଚାଷୀଙ୍କ ଠାରୁ ୭୩୯୯.୪ କୋଟି ଟଙ୍କା ମୂଲ୍ୟର ୩୮.୮୪ ଲକ୍ଷ ମେଟ୍ରିକ ଟନ୍ ଅଧିକ ଧାନ କିଣିବାର ଲକ୍ଷ୍ୟ ରଖିଛନ୍ତି । ଏହା ଓଡିଆ ଚାଷୀଙ୍କୁ ବହୁ ସହାୟକ ହେବ ବୋଲି ସମୀର କହିଛନ୍ତି । କୃଷିବହୁଳ ଆମ ରାଜ୍ୟରେ ଗତ ଖରିଫ ଏବଂ ବର୍ତମାନର ରବି ଫସଲରେ ଉପାର୍ଜିତ ଧାନକୁ ସଠିକ୍ ମୂଲ୍ୟରେ ବିକ୍ରି କରିନପାରି ବହୁ କ୍ଷତି ଓ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାଜ୍ୟର କୃଷକ ଭାଇଭଉଣୀଙ୍କ ସ୍ୱାର୍ଥ ଏବଂ ସେମାନଙ୍କୁ ଆର୍ଥିକ ସ୍ଥିତିରେ ମହଜୁତ୍ କରିବା ପାଇଁ ରାଜ୍ୟ ସରକାର ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଇବାର ବିହୀତ ପଦକ୍ଷେପ ନେବାକୁ ସମୀର କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ