ଭୁବନେଶ୍ବର: 'ଫନି' ବାତ୍ୟା ପରେ ବିଦ୍ୟୁତ ଯୋଗାଣ ଓ ଭିତ୍ତିଭୂମିର ପୁନଃଉଦ୍ଧାର ପାଇଁ ଆଜି ବିଧାନସଭାର ପ୍ରଶ୍ନ କାଳରେ ଜୋଦରଦାର ଚର୍ଚ୍ଚା ହୋଇଥିଲା । ଏଥିରେ ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଉତ୍ତର ରଖିଛନ୍ତି । ବାତ୍ୟାରେ ୧୧୫୯.୪୧ କୋଟି ଟିଙ୍କାର ବିଦ୍ୟୁତ ସାମଗ୍ରୀ ନଷ୍ଟ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟର ଅନେକ ଅଞ୍ଚଳକୁ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇ ନଥିବା ମନ୍ତ୍ରୀ ସ୍ବୀକାର କରିଛନ୍ତି । ଏହାସହ ପୁରୀରେ ଏହା ମଧ୍ୟ ସମ୍ଭବ ହୋଇପାରିନି । ପୁରୀରେ ରଥାଯାତ୍ରା ପୂର୍ବରୁ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ ବିଧାନସଭାରେ କହିଛନ୍ତି ।
ଗୃହରେ ତଥ୍ୟ ରଖି ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଖୋର୍ଦ୍ଧାରେ 16ଟି 33 କେଭି ଫିଡର୍ 22ଟି 33/11, 72ଟି 11 କେଭି ଫିଡର, 3975 ଟ୍ରାନ୍ସଫର୍ମର 'ଫନି'ରେ ପ୍ରଭାବିତ ହୋଇଥିଲା । ସମସ୍ତ ଫିଡର କାର୍ଯ୍ୟକ୍ଷମ ହେବା କଥା କହିଛନ୍ତି ମନ୍ତ୍ରୀ । ଜିଲ୍ଲାର 1 ଲକ୍ଷ 84 ହଜାର 872 ଲୋକଙ୍କୁ ବିଦ୍ୟୁତ ସଂଯୋଗ ହୋଇଥିବା ମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଛନ୍ତି ।
ଆଜି ବିଧାନସଭାର ପ୍ରଶ୍ନକାଳରେ 'ଫନି' ପରର ବିଦ୍ୟୁତ ଯୋଗଣ ସ୍ଥିତିକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ବିଧାୟକ ଉଦ୍ବେଗ୍ ପ୍ରକାଶ କରିଥିଲେ । ପିପିଲି ବିଧାୟକ ପ୍ରଦୀପ ମହାରଥୀ କହିଛନ୍ତି, ଅସ୍ଥାୟୀ ଭାବେ ବିଦ୍ୟୁତ ଯୋଗାଣ କାମ ହୋଇଥିବାରୁ ଅନେକ ଅଞ୍ଚଳରେ ସମସ୍ୟା ହେଉଥିବା ବିଭାଗୀୟ ମନ୍ତ୍ରୀଙ୍କୁ କହିଛନ୍ତି । ପୁରୀକୁ 4 ତାରିଖ ପୂର୍ବରୁ ବିଦ୍ୟୁତ ଯୋଗଣ ପାଇଁ ବିଧାୟକ ଦାବି କରିଛନ୍ତି ।