ଭୁବନେଶ୍ବର: ଲକଡାଉନ ସମୟରେ ଲୋକେ ଇଣ୍ଟରନେଟର ବହୁଳ ବ୍ୟବହାର କରୁଥିବା ବେଳେ ଏହାର ସୁଯୋଗ ନେଇ ମାତିଛନ୍ତି ସାଇବର ଠକ । ଆଉ ଏମାନେ ପ୍ରତିଦିନ ଠକେଇ ପାଇଁ ଖୋଜୁଛନ୍ତି ନୂଆ ନୂଆ ବାହାନା । ଯେଉଁଥିରେ ଏବେ କିଡନୀ ବିକ୍ରୟ ନାଁରେ ସାଇବର ଠକମାନେ ନୂଆ ଚାଲ୍ ଚାଲୁଥିବା ଦେଖିବାକୁ ମିଳୁଛି । ଏମିତିରେ ସୋସିଆଲ ମିଡିଆରେ ନୋଟିଫିକେସନ ଆକାରରେ ଏମାନେ ଆରମ୍ଭ କରୁଛନ୍ତି ସାଇବର ଆକ୍ରମଣ । ଆଉ ଏଥିରେ କ୍ଲିକ କଲେ ଲୋକଙ୍କ ଆକର୍ଷଣୀୟ ଅଫର ଦେଖାଇ ପ୍ରଲୋଭିତ କରୁଛନ୍ତି ଠକ ।
ଏପରି ଏକ ଘଟଣାରେ ଫସୁଫସୁ ବଞ୍ଚିଛନ୍ତି କେନ୍ଦ୍ରାପଡାର ସୋମନାଥ ଗାହଣ । ଆର୍ଥିକ ଅନଟନ ମଧ୍ୟରେ ସେ ଫେସବୁକରେ କିଡନୀ ବିକ୍ରୟ ପାଇଁ ଏକ ନୋଟିଫିକେସନ ଦେଖିଥିଲେ । ଏଥିରେ କିଡନୀ ବିକ୍ରୟ ବଦଳରେ 3କୋଟିର ନଗଦ ରାଶି ମିଳିବାର ଅଫର ଦେଖି ସେ ଏଥିରେ ନିଜର ଇଚ୍ଛା ଜାହିର କରିଥିଲେ । ପରେ ସମ୍ପୃକ୍ତ ଠକ ବ୍ୟକ୍ତି ସୋମନାଥଙ୍କୁ ଯୋଗାଯୋଗ କରିବା ସହ ତାଙ୍କର ଠିକଣାଠାରୁ ଆରମ୍ଭ କରି ଆକାଉଣ୍ଟ ନମ୍ବର ଓ ଆଇଏଫଏସସି କୋଡ ଆଦି ହାତେଇବାରେ ସଫଳ ହୋଇଥିଲେ । ଏମିତିରେ ତାଙ୍କ ପାଇଁ ପୁଣି ଦୂତ ସାଜିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ।