ଭୁବନେଶ୍ବର: ବ୍ୟାଣ୍ଡ, ବାଜା, ବରଯାତ୍ରୀ ସହ ସଜେଇ ହୋଇ ପଛକୁ ପଛକୁ ଲାଗିଥିଲା 25ଟି ବର ଗାଡି । ସଜେଇ ହୋଇ ବସିଥିଲେ କନିଆଁ । ବରକୁ ବିବାହ ମଣ୍ଡପକୁ ପାଛୋଟି ନେଲେ କନ୍ୟା ପିତା । ବେଦିରେ ବସି ପଡିଲା ହାତ ଗଣ୍ଠି ଆଉ ହୋଇଗଲେ ସାତ ଜନ୍ମର ସୁଖ ଦୁଃଖର ସାଥି । ହିନ୍ଦୁ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି । ହାତରେ ଶଙ୍ଖା, ମଥାରେ ସିନ୍ଦୁର ଦେଇ ସାଥି କରିବାକୁ ଶପଥ ନେଲା ପତି । ଆଜି ଭୁବନେଶ୍ବର ରାମ ମନ୍ଦିରରେ ଏଭଳି ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରୟାସ ଅନୁଷ୍ଠାନ ଅନେକ ଯୋଡାଙ୍କୁ ଏକାଠି କରିଛି ।
ସମାଜ ଓ ଜାତିଗତ ଭେଦଭାବରୁ ଊର୍ଦ୍ଧ୍ବରୁ ଉଠି ଆଜି ବିବାହ ବନ୍ଧନରେ ପରସ୍ପର ସହ ବାନ୍ଧି ହୋଇଛନ୍ତି 25 ଯୋଡା । ସାମୁହିକ ବିବାହରେ ସାମିଲ ହୋଇ ଗୋଟିଏ ସୂତ୍ରରେ ବାନ୍ଧି ହୋଇଛନ୍ତି ଏହି ଯୋଡା । ସାତ ଜନ୍ମର ସାଥୀ ହେବା ପାଇଁ କଥା ଦେଇଛନ୍ତି । ଏକାଠି ରହି ଜୀବନର ସୁଖଦୁଃଖରେ ଭାଗିଦାରୀ ହେବାକୁ ଶପଥ ନେଇଛନ୍ତି ସେମାନେ ଆଉ ସେମାନଙ୍କ ଏହି ସ୍ବପ୍ନ ପୁରା କରିଛି ପ୍ରୟାସ ଅନୁଷ୍ଠାନ । ଅନୁଷ୍ଠାନ ଦୀର୍ଘ 7 ବର୍ଷ ହେବ ଏହି ପ୍ରୟାସ କରି ଆସିଛି । ଏଯାବତ୍ ଏହି ସଂଗଠନ 200 ଯୋଡିଙ୍କ ବିବାହ କରିବାରେ ସଫଳ ହୋଇଛି ।