ଭୁବନେଶ୍ବର: ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ କଟକଣା କୋହଳ ହେବା ପରେ ପ୍ରବାସୀ ଶ୍ରମିକମାନେ ପୁଣି ଥରେ ସହର ମୁହାଁ ହୋଇଛନ୍ତି। ସେମାନଙ୍କୁ ଜୀବିକା ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବାରେ ଭାରତୀୟ ରେଳ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ରେଲୱେ ଷ୍ଟେସନରେ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିବା ସହିତ ଅନ୍ୟ କଟକଣାକୁ କଡାକଡି ଲାଗୁ କରାଯାଇଛି ।
ବିଭିନ୍ନ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ସହରରେ ପହଞ୍ଚାଇବା ଲାଗି ମେଲ୍, ଏକ୍ସପ୍ରେସ୍ ସ୍ବତନ୍ତ୍ର, ଛୁଟିଦିନ ସ୍ବତନ୍ତ୍ର, ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ୍ ଆଦି ଚଳାଚଳ କରାଯାଉଛି। କୋଭିଡ କଟକଣାକୁ ନଜରରେ ରଖି କେବଳ ସଂରକ୍ଷିତ ଟିକଟଧାରୀଙ୍କୁ ଏହି ଟ୍ରେନଗୁଡ଼ିକରେ ଯାତ୍ରା କରିବାର ସୁବିଧା ଦିଆଯାଉଛି।
ଏନେଇ ଭୁବନେଶ୍ବର ରେଲୱେ ଷ୍ଟେସନରେ ସିଙ୍ଗଲ ଏଣ୍ଟ୍ରି ଓ ସିଙ୍ଗଲ ଏକଜିଟ୍ ବ୍ୟବସ୍ଥା ରହିଛି । ମାସ୍କ କଡାକଡି ଏବଂ ସୋସିଆଲ ଡିଷ୍ଟାନ୍ସ ସହ ରିପୋର୍ଟ ନେଗଟିଭ ରହିଛି କି ନାହିଁ ମଧ୍ୟ ଯାଞ୍ଚ କରାଯାଉଛି । ଭୁବନେଶ୍ବରରୁ ଅନେକ ଟ୍ରେନ ଅଲଗା ରାଜ୍ୟକୁ ଯାଉଛି । ଏଥିଲାଗି BMC ସହ ମିଳିତ ଭାବରେ ବ୍ୟବସ୍ଥା କରାଯାଇଥିବା ଷ୍ଟେସନ ମାଷ୍ଟର ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି ।