ଭୁବନେଶ୍ବର: ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ନିବାରଣ ଅଭିଯାନରେ ସଂକଳ୍ପବଦ୍ଧ ଓ ଉତ୍ସର୍ଗୀକୃତ ଭାବେ ସାମିଲ ହୋଇ ଉତ୍ତମ ସମାଜ ଗଠନରେ ସହାୟକ ହେବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅକ୍ଟୋବର ୨୬ରୁ ନଭେମ୍ବର ପହିଲା ଯାଏଁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେବ । ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ବିକାଶ ଓ ପ୍ରଗତି ପଥରେ ଦୁର୍ନୀତି ପ୍ରମୁଖ ଅନ୍ତରାୟ ସାଜିଛି । ବିକାଶ ଓ ଜନକଲ୍ୟାଣମୂଳକ କାର୍ଯ୍ୟର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ । ଦୁର୍ନୀତି ମଧ୍ୟ ସୁଶାସନ, ସାମାଜିକ ସଂହତି ତଥା ବ୍ୟକ୍ତି ମର୍ଯ୍ୟାଦା ଓ ଅଧିକାରର ପରିପନ୍ଥୀ । ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଏହା ସହ ସ୍ୱଚ୍ଛତା ଏବଂ ଶୂନ୍ୟ ସହିଷ୍ଣୁତା ଉପରେ ପ୍ରାଧାନ୍ୟ ଦେଇ ଆସୁଛନ୍ତି ।