ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ସିନେମା ହଲ ଆଦି ବନ୍ଦ ହୋଇଯାଇଥିବାବେଳେ ଡ୍ୟାନ୍ସ ବାର ଗୁଡିକରେ କୋରୋନା ଜନିତ କୌଣସି ସରକାରୀ ନିର୍ଦ୍ଦେଶାନାମା ନଥିବାକୁ ନେଇ ଚର୍ଚ୍ଚା । ଯାହାକୁ ନେଇ ଡ୍ୟାନ୍ସ ବାରକୁ କୋରୋନା ଆସିପାରିବନି କି ବୋଲି ମଧ୍ୟ ସାଧାରଣରେ ଉଠୁଛି ପ୍ରଶ୍ନ ।
ରାଜ୍ୟରେ କୋରୋନା ମୁକାବିଲା ନେଇ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିବାପରେ, ଓଡିଶା ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏନେଇ ଏକାଧିକ ସଚେତନ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆସନ୍ତା 31 ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ସିନେମା ହଲ ଓ ସପିଂ ମଲକୁ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ରାଜଧାନୀରେ ଏକତ୍ରିତ ହେଉଥିବା ସ୍ଥାନ ବିବାହ ମଣ୍ଡପ, ସର୍ବସାଧାରଣ ସଭା, ଜିମ ଓ ଲୋୟର ପିଏମଜି ଭଳି ଧାରଣା ସ୍ଥଳକୁ ମଧ୍ୟ ଅନୁମତି ମିଳିନାହିଁ ।