ଓଡିଶା

odisha

ETV Bharat / city

କୋରୋନା ସାଜିଲା କାଳ: ସହର ଛାଡି ଗାଁ ମୁହାଁ ଲୋକେ

କୋରୋନା ସାଜିଲା କାଳ । ଚାଲିଗଲା ଜୀବିକା । ଫଳରେ ଗାଁ ଅଭିମୁଖେ ସହରବାସୀ । ଏପଟେ ଲୋକେ ଗାଁକୁ ଚାଲିଯାଉଥିବାରୁ ଭଡାଘର ଖାଲି ପଡିଛି । ଯାହାକୁ ନେଇ ଚିନ୍ତାରେ ଘର ମାଲିକ ।

କୋରୋନା ସାଜିଲା କାଳ: ସହର ଛାଡି ଗାଁ ମୁହାଁ ଲୋକେ
କୋରୋନା ସାଜିଲା କାଳ: ସହର ଛାଡି ଗାଁ ମୁହାଁ ଲୋକେ

By

Published : Jul 20, 2020, 2:11 PM IST

ଭୁବନେଶ୍ବର: କୋରୋନା ଛଡେଇନେଲା ଜୀବିକା । ଲକ୍‌ଡାଉନ୍‌ ଉଜାଡିଦେଲା ଅସରନ୍ତି ଆଶା । ଫଳରେ ସ୍ବପ୍ନକୁ ସହରରେ ଛାଡି ଗାଁ ମୁହାଁ ଲୋକେ । ଏପଟେ ଭଡାଟିଆ ଚାଲିଯିବାପରେ ଘର ଆଗରେ ଟୁ-ଲେଟ୍‌ ମାରି ଆଶା ଆଶଙ୍କାରେ ଘର ମାଲିକ ।

କୋରୋନା ସାଜିଲା କାଳ: ସହର ଛାଡି ଗାଁ ମୁହାଁ ଲୋକେ

ଅନେକ ଲୋକ ରୋଜଗାର ତଥା ପାଠପଢିବା ଅନ୍ବେଷଣରେ ରାଜଧାନୀ ଅଭିମୁଖେ ଆସିଥାନ୍ତି । ଏଠାରେ ଘରଭଡା ନେଇ ରୁହନ୍ତି । ଏହାକୁ ଦୃଷ୍ଟିରେ ରଖି ଅନେକ ଲୋକ ରାଜଧାନୀରେ ଘର ଭଡା ଦେବା ଉଦ୍ଦେଶ୍ୟ ରେ ଘର କରିଥାନ୍ତି । ଯାହା କିଛି ଘର ମାଲିକଙ୍କ ପାଇଁ ଜୀବିକାର ମାଧ୍ୟମ ପାଲଟି ଥିବାବେଳେ ଅନେକ ନିଜର ଆର୍ଥିକ ଅବସ୍ଥାକୁ ମଧ୍ୟ ସ୍ବଚ୍ଛଳ କରନ୍ତି ।

ଏପରି ଜଣେ ଘର ମାଲିକ ହେଉଛନ୍ତି ବଡଗଡର ପୀୟୂଷ ପ୍ରସନ୍ନ ଶ୍ରୀଚନ୍ଦନ । ନିଜର 3 ମହଲା ବିଶିଷ୍ଟ ଘରର ଉପର ମହଲାକୁ ସେ ଭଡାରେ ଦିଅନ୍ତି । ହେଲେ ଦୁଇ ମାସ ହେବ କେହି ଭଡାଟିଆ ରହୁନଥିବାରୁ ଟୁଲେଟ୍‌ ମାରି ରଖିଛନ୍ତି । ଖାଲି ବଡଗଡର ପୀୟୂଷ ନୁହଁନ୍ତି, ବାପୁଜି ନଗର, କଳ୍ପନା, ଲକ୍ଷ୍ମୀସାଗର, ନୟାପଲ୍ଲୀ, ରେଣ୍ଟାଲ କଲୋନୀ, ବିଜେବି ନଗର, ବମୀଖାଲ, ରସୁଲଗଡର ଅନେକ ଘର ମାଲିକଙ୍କ ଏବେ ସମାନ ଅବସ୍ଥା ।

ସେପଟେ ପ୍ରାୟ ସମସ୍ତ ଲୋକ ଗାଁ ମୁହାଁ ହୋଇଥିବାରୁ ଅନେକ ଘର ଖାଲି ପଡିଛି । ହେଲେ କୋରୋନା ଭୟରେ ଘର ମାଲିକ ଘର ଆଗରେ ଟୁଲେଟ୍‌ ବୋର୍ଡ ମାରିବାକୁ ଭୟ କରୁଛନ୍ତି । ଘର ଖାଲି ପଡିଥିଲେ ବି ଏସମୟରେ କାହାକୁ ଘର ଦେବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । ଅନ୍ୟପଟେ ଅନେକ ଲୋକ ସହରମୁହାଁ ହୋଇ ସହରରେ ଜାଗା କିଣିବା ତଥା ଘର କିଣିବାର ସ୍ବପ୍ନ ଦେଖନ୍ତି । କୋରୋନା ପାଇଁ ସବୁ ସ୍ବପ୍ନ ମାଟିରେ ମିଶିଯିବା ପରି ପରିସ୍ଥିତି ସୃଷ୍ଟି ହେବା ପରେ ସେମାନେ ଗାଁ ମୁହାଁ ହୋଇଛନ୍ତି । ଯେଉଁଥିପାଇଁ ବର୍ଷ ବର୍ଷ ଧରି ଘର ବେପାର କରୁଥିବା ବିଲଡରମାନେ ବି ଏବେ ଚିନ୍ତାରେ ରହିଛନ୍ତି ।

ରୋଜଗାରର ସନ୍ଧାନ ରେ ଦିନେ ଗାଁ ରୁ ସହର ମୁହାଁ ହୋଇଥିବା ଲୋକଙ୍କ ପାଇଁ ଆବଶ୍ୟକତା ହେଉଥିଲା ଭଡା ଘରଟିଏ । ଆଜି କୋରୋନା ପାଇଁ ସମସ୍ତେ ସହରରୁ ଗାଁକୁ ଯାଉଛନ୍ତି । ଏଣୁ ସହରରେ ଅନେକ ଘର ଖାଲି ପଡିବା ସ୍ବାଭାବିକ । ତେବେ କେବେ ସବୁ ଠିକ୍‌ ହେବ, ଲୋକେ ପୁଣି କେବେ ଫେରିବେ ତାକୁ ହିଁ ଅପେକ୍ଷା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details