ଓଡିଶା

odisha

By

Published : Oct 23, 2019, 10:03 AM IST

ETV Bharat / city

ସମବାୟ ଋଣ ପ୍ରଦାନରେ ଆସିବ ସ୍ବଛତା; ଋଣଗ୍ରହୀତାଙ୍କ ତାଲିକା ସର୍ବସାଧାରଣରେ ପ୍ରକାଶ ପାଇବ

ସମବାୟ ବ୍ୟାଙ୍କ ଦେଉଥିବା ଋଣକୁ ସ୍ବଛ କରିବା ପାଇଁ ବିଭାଗର ବଡ ନିଷ୍ପତି। ଋଣ ନେଇଥିବା ଚାଷୀଙ୍କ ତାଲିକା ସର୍ବସାଧାରଣରେ ପ୍ରକାଶ ପାଇବା ସହ ସମସ୍ତ ସର୍କଲ ଅଫିସରେ ମଧ୍ୟ ଉପଲବ୍ଧ ହେବ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚାଷୀଙ୍କୁ ଦିଆଯାଉଥିବା ସମବାୟ ସମିତିରୁ ଋଣରେ ରହିବ ସ୍ବଛତା । ଋଣକୁ ନେଇ ବାରମ୍ବାର ବିଭିନ୍ନ ସମୟରେ ଅଭିଯୋଗ ଆସିବା ପରେ ଏନେଇ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଣିକି ଉଭୟ ଖରିଫ ଓ ରବି ଫସଲ ଋଣ ପ୍ରଦାନର ୭ ଦିନ ମଧ୍ୟରେ ଋଣ ନେଇଥିବା ଚାଷୀଙ୍କ ତାଲିକା ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରାଥମିକ ସମବାୟ ସମିତି ଲ୍ୟାମ୍ପସରୁ ଫସଲ ଋଣ ନେଇନଥିବା ଚାଷୀଙ୍କ ନାମରେ ଲେଜରରେ ଋଣ ନେଇଥିବା ଅଭିଯୋଗ ଆସିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି।


ଏହି ମର୍ମରେ ନିବନ୍ଧକ, ସମବାୟ ସମିତି ସମୂହ ସମସ୍ତ ଡିଭିଜନର ଡିଆରସିଏସ ଏବଂ ସମସ୍ତ ସର୍କଲର ଏଆରସିଏସଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଣିକି ଫସଲ ଋଣ ପ୍ରଦାନ କରୁଥିବା ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଋଣ ଗ୍ରହୀତାଙ୍କ ତାଲିକା ପ୍ରସ୍ତୁତ କରିବେ। ଯେଉଁଥିରେ ଉଭୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ସମବାୟ ସମିତିର ସଭାପତିଙ୍କର ଦସ୍ତଖତ ରହିବ । ଏହି ତାଲିକାକୁ ସମବାୟ ସମିତିର ନୋଟିସ ବୋର୍ଡରେ ଲଗାଯିବା ସହିତ ଏପରି ସ୍ଥାନରେ ପ୍ରଦର୍ଶିତ ହେବ। ଯାହା ଦ୍ବାରା ସାଧାରଣ ଲୋକେ ଏହାକୁ ଦେଖିବା ପାଇଁ ସୁଯୋଗ ପାଇବେ। ତାଲିକାରେ ଗ୍ରାମର ନାମ, ଫସଲ ଋଣ ନେଇଥିବା କୃଷକଙ୍କ ନାମ, ଅନୁମୋଦନ ହୋଇଥିବା ଋଣର ପରିମାଣ ଏବଂ ପ୍ରଦାନ କରାଯାଇଥିବା ପରିମାଣ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସମବାୟ ସମିତିର ସଭ୍ୟଭୁକ୍ତ ହୋଇଥିବା ଚାଷୀ ଏହି ତାଲିକା ଦେଖିପାରିବେ ଏବଂ ତାଲିକାରେ ଯଦି କୌଣସି ତ୍ରୁଟି ପାଆନ୍ତି ତେବେ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ନଜରକୁ ଆଣିବେଓ ତ୍ରୁଟିର ସଂଶୋଧନ କରାଯିବ । ସମ୍ପୃକ୍ତ ଏଆରସିଏସ/ଡିଆରସିଏସ ଏହି କାର୍ଯ୍ୟର ତଦାରଖ କରିବା ସହିତ ବିବାଦର ସମାଧାନ ଦିଗରେ ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ ଯୋଗାଇଦେବେ । ଏହି ତାଲିକାକୁ ‘ସକ୍ଷମ’ ପୋର୍ଟାଲରେ ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ସମବାୟ ସମିତି ଦ୍ବାରା ଏଥି ନିମନ୍ତେ ଏକ ରେଜିଷ୍ଟାର ଖୋଲାଯାଇ ପାଇଥିବା ଅଭିଯୋଗ ଓ ଏହାର ସମାଧାନର ସଂଖ୍ୟା ଓ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details