ଭୁବନେଶ୍ବର: ରାଜ୍ୟରେ ଆଦିବାସୀଙ୍କ ସ୍ବାର୍ଥକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଟ୍ରାଇବାଲ ଆଡଭାଇଜରି କାଉନସିଲକୁ କ’ଣ ପାଇଁ ସ୍ଥାଣୁ କରି ରଖିଛନ୍ତି, ତାର ଉତ୍ତର ରଖିବାକୁ ସରକାରଙ୍କୁ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛି କଂଗ୍ରେସ । କଂଗ୍ରେସ କହିଛି, ‘‘ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଗଲା, ଏହା ଏକ ରାଜନୈତିକ ପ୍ରକ୍ରିୟା । ଏହାକୁ ବିଜେଡି ସମର୍ଥନ କରିଛି । କିନ୍ତୁ, ଦୁଃଖର ବିଷୟ ଏଭଳି ସ୍ଥିତିରେ କଂଗ୍ରେସ ଉପରେ ଆଙ୍ଗୁଠି ଉଠାଇଛି ଦୁଇ ଦଳ । ଓଡ଼ିଶାରେ ଆଦିବାସୀଙ୍କ ସଂଖ୍ୟା ଢେର ଅଧିକ ଥିବା ବେଳେ ପ୍ରତ୍ୟେକ ୫ ଜଣରେ ଜଣେ ଆଦିବାସୀ ଅଟନ୍ତି । ରାଜ୍ୟରେ ଏକ କୋଟି ଆଦିବାସୀଙ୍କ ସହ ଏମାନେ ବିଶ୍ବାସ ଘାତକ କରିଛନ୍ତି । ରାଜ୍ୟରେ ଆଦିବାସୀଙ୍କ ବିକାଶ ପାଇଁ ଯାହାକିଛି କାମ କରାଯିବ, ତାହାପାଇଁ Tribe Advisory Council ରହିଛି । ମୁଖ୍ୟମନ୍ତ୍ରୀ ନିଜେ ତାର ଅଧ୍ୟକ୍ଷ ଥିବା ବେଳେ ପରିତାପର ବିଷୟର ଏହି Councilର ଗଠନ ହୋଇପାରି ନାହିଁ କିମ୍ବା ୫ ବର୍ଷ ହେଲା ମିଟିଙ୍ଗଟିଏ ମଧ୍ୟ ହୋଇନାହିଁ ।’’
ଏହି ସମ୍ମିଳନୀରେ କଂଗ୍ରେସ ଗଣମାଧ୍ୟମ ସେଲ ସଂଯୋଜକ ସତ୍ୟ ପ୍ରକାଶ ନାୟକ କହିଥିଲେ, ‘‘୨୨ ବର୍ଷ ଭିତରେ ୪୪ ଥର ମିଟିଙ୍ଗ ହେବା କଥା । କେନ୍ଦ୍ର ସରକାର ମଧ୍ୟ ଏଦିଗରେ ଧ୍ୟାନ ଦେଇନାହାନ୍ତି । ଏବେ ପ୍ରଶ୍ନ ଉଠୁଛି କାହିଁକି ନବୀନ ବାବୁ ଏହି Councilକୁ ବନ୍ଦ କରି ରଖିଛନ୍ତି ? ବିଜେପିର ରାଜ୍ୟ ସଭାପତି କିଛିଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ଗାଳି ଦେଲେ । କିନ୍ତୁ, ନରେନ୍ଦ୍ର ମୋଦିଙ୍କୁ ତା’ ପୂର୍ବରୁ ପଚାରିବା ଦରକାର । ଓଡ଼ିଶାରେ ୨୨ ପ୍ରତିଶତ ଆଦିବାସୀ ରହିଛନ୍ତି । କିନ୍ତୁ, ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଗତ ଦୁଇ ବର୍ଷ ହେଲା ଟଙ୍କାଟିଏ ଦେଇନାହାନ୍ତି । ନବୀନ ପଟ୍ଟନାୟକ ମଧ୍ୟ ଏଦିଗରେ ଚୁପ ରହିଛନ୍ତି । ଏମାନେ ମାଟିର ପୁଅ ନୁହେଁ, ଏମାନେ ମାଟି ଛଡା ବା ମାଟି ମରା । ଆଦିବାସୀଙ୍କୁ ନେଇ ଏ ଖେଳ ଦୟାକରି କେନ୍ଦ୍ର ଓ ରାଜ୍ୟ ସରକାର ବନ୍ଦ କରନ୍ତୁ ।’’