ଭୁବନେଶ୍ବର: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସଜବାଜ ଆରମ୍ଭ ହୋଇଯାଇଛି । ବିଜେଡି-ବିଜେପି ପକ୍ଷରୁ ନିର୍ବାଚନ ରଣନୀତି ଜୋରଦାର ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ କଂଗ୍ରେସ କେଉଁଠି ନା କେଉଁଠି ପଛରେ ପଡିଗଲା ଭଳି ସ୍ପଷ୍ଟ ବାରି ହେଉଛି । କଂଗ୍ରେସ ରାଜରାସ୍ତାରେ ଖାଲି ଆନ୍ଦୋଳନ କରି ନିଜର ଉପସ୍ଥିତ ଜାହିର କରୁଛି କିନ୍ତୁ ସଙ୍ଗଠନ ସୁଦୃଢ଼ କରିବାରେ ନେତାଙ୍କ ମନ ନାହିଁ । ଖାଲି ଆନ୍ଦୋଳନ ମାଧ୍ୟମରେ ଚିତ୍କାର କରି ଲୋକଲୋଚନକୁ ଆସିବାକୁ ଚେଷ୍ଟା କରୁଛି କିନ୍ତୁ ତୃଣମୂଳ ସ୍ତରରେ କିଭଳି ସଙ୍ଗଠନ ସୁଦୃଢ ହେବ ସେନେଇ କାହାର ନିଘା ନାହିଁ । ଏଣୁ ଦଳର ନିର୍ବାଚନ ରଣନୀତି କେବଳ କଥାରେ ସୀମିତ ରହିଗଲା ଭଳି ମନେ ହେଉଛି ।
ନିର୍ବାଚନ ପାଇଁ ନା ପିସିସି ମୁଖିଆଙ୍କ ଠୋସ ପଦକ୍ଷେପ ଅଛି ନା ସାଧାରଣ କର୍ମୀ ଉତ୍ସାହିତ ଅଛନ୍ତି । ଆଉ ଯେଉଁ କିଛି ନେତା ସଙ୍ଗଠନକୁ ନେଇ ଚିନ୍ତା କରୁଛନ୍ତି ସେମାନେ କଣଠେସା ହେଉଛନ୍ତି । ଦଳ ଭିତରେ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ସକ୍ରିୟ ଥିବାରୁ ସଙ୍ଗଠନ ମଜବୁତ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ରାଜ୍ୟ ପ୍ରଭାରୀ ଡ଼ ଚେଲ୍ଲା କୁମାର ଆସିଲା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଆଶା ସଞ୍ଚାର ହେଉଥିଲା କି ଆଗାମୀ ଦିନରେ କଂଗ୍ରେସ ଅଧିକ ସଙ୍ଗଠିତ ହୋଇ ବିରୋଧୀଙ୍କୁ କଡା ଟକ୍କର ଦେବ । ହେଲେ ଚେଲ୍ଲାଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଦୁଇ ଦୁଇଟି ଉପ-ନିର୍ବାଚନରେ ରାଜ୍ୟବାସୀ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବାରମ୍ବାର ନିର୍ବାଚନ ହାରିଲା ପରେ ଦଳ ଯେଉଁଠି ଥିଲା ଏବେ ବି ସେଇଠି ଅଛି ।