ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ବିରୋଧରେ ଶକ୍ତି ପଦର୍ଶନ କରି ଦିଲ୍ଲୀରୁ ଫେରିଲେ କଂଗ୍ରେସ ବିଧାୟକ । ଦିଲ୍ଲୀରେ ହଲ୍ଲାବୋଲ୍ ରାଲିରେ ଯୋଗ ଦେବାକୁ ଯାଇଥିଲେ କଂଗ୍ରେସ ବିଧାୟକ । ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦର ବୃଦ୍ଧି ପ୍ରତିବାଦରେ ହଲ୍ଲାବୋଲ୍ ରାଲି ଆୟୋଜନ କରିଥିଲା ଜାତୀୟ କଂଗ୍ରେସ(Congress MLAs returns from Delhi) ।
ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଓ ଦୁର୍ନୀତି ଅଭିଯୋଗରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ଦଳ ପକ୍ଷରୁ ଆୟୋଜିତ ‘‘ମହଙ୍ଗାଇ ପର ହଲ୍ଲାବୋଲ’’ (congress halla bol rally) ବିକ୍ଷୋଭ ସମାବେଶରେ ହଜାର ହଜାର ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇ ବିଜେପି ସରକାର ଉପରେ ବର୍ଷିଥିଲେ । 'ହଲ୍ଲା ବୋଲ' ରାଲିକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ବିଶେଷ ସୁରକ୍ଷା ବ୍ୟବସ୍ଥା କରିଥିଲା । କେନ୍ଦ୍ରୀୟ ଦିଲ୍ଲୀରେ ଥିବା ରାମଲୀଳା ମୈଦାନ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲା ଦିଲ୍ଲୀ ପୋଲିସ । ରାଲି ସ୍ଥଳରେ ସ୍ଥାନୀୟ ପୋଲିସ ସହିତ ବ୍ୟାପକ ପାରାମିଲିଟାରୀ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।