ଭୁବନେଶ୍ବର:ଜଗତସିଂପୁର ଜିଲ୍ଲା ରଘୁନାଥପୁରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେଡ଼ି ନେତା ସ୍ବର୍ଗତଃ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ରହିଛି । ଏହି ପ୍ରସଙ୍ଗଙ୍କୁ ନେଇ କଂଗ୍ରେସ ପକ୍ଷରୁ ମୁଖପାତ୍ର ଗୋବିନ୍ଦ ଭୂୟାଁ ସାମ୍ବାଦିକ ସମ୍ମିଳନୀ କରି ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ହଟାଇବା ପାଇଁ ଦାବି କରିଛନ୍ତି ।
୧୯୮୭ ମସିହାରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ସେହି ସ୍ଥାନରେ ଲକଡାଉନ ଚାଲିଥିବା ସମୟରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ବିଷ୍ଣୁ ଦାସଙ୍କ ଭଳି ଦିବଂଗତ ନେତାଙ୍କ ସହିତ କଂଗ୍ରେସର କୌଣସି ଶତ୍ରୁତା ନାହିଁ । କିନ୍ତୁ ପୂଜ୍ୟ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଲାଗଇ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରିବା ଏକ ମହାପାପ । ଗୋପବନ୍ଧୁ ଓଡ଼ିଶାର ଜଣେ ମହାନ ମନୁଷ୍ୟ । ସେ ଜଣେ ଜାତୀୟବାଦୀ ମହାନ ବ୍ୟକ୍ତିତ୍ବ, ଏଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସେ ମୂର୍ତ୍ତିକୁ ସେଠାରୁ ହଟାନ୍ତୁ ବୋଲି ସେ ଦାବି କରିଛନ୍ତି ।