ଭୁବନେଶ୍ବର: ବୁଧବାର 12 ଦଫା ଦାବି ନେଇ 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲେ ବାମଦଳ ସମେତ ବିଭିନ୍ନ ଟ୍ରେଡ ୟୁନିୟନ । ବାମଦଳ ପକ୍ଷରୁ ବନ୍ଦ ସଫଳ ହୋଇଥିବା ଦାବି କରାଯାଉଥିବା ବେଳେ ବନ୍ଦକୁ ନେଇ ବାମଦଳ ଓ କଂଗ୍ରେସ ଉପରେ ଯୋରଦାର ବର୍ଷିଛି ରାଜ୍ୟ ବିଜେପି ।
ରାଜ୍ୟ ବିଜେପି ଅଭିଯୋଗ କରିଛି ନିଜ ସତ୍ତାକୁ ବଞ୍ଚାଇବାକୁ ଯାଇ ଅଭିନବ ନାଟକ କରୁଛନ୍ତି ଉଭୟ ବାମ ଦଳ ଓ କଂଗ୍ରେସ। ଭାରତ ବନ୍ଦ ନାଁରେ ଲୋକଙ୍କୁ ନିର୍ଯ୍ୟାତନା ଦେବା ଅଧିକାର କିଏ ଦେଲା ବୋଲି ଦଳ ପ୍ରଶ୍ନ କରିଛି ? ବନ୍ଦ ପରିବର୍ତ୍ତେ ବାମଦଳ ଓ କଂଗ୍ରେସ ସରକାରଙ୍କ ସହ ସିଧାସଳଖ ଆଲୋଚନା କରିପାରିଥାନ୍ତେ । ତାହା ନକରି ରାଜରାସ୍ତାରେ ଗୁଣ୍ଡାଗର୍ଦ୍ଦି କରିବା ଓ ଲୋକଙ୍କୁ ହଇରାଣ ହରକତ କରିବା ଅଧିକାର କାହାର ନାହିଁ ବୋଲି ବିଜେପି କହିଛି । ବିଜେପି କହିଛି ବନ୍ଦ ଏକ ସମସ୍ୟାର ସମାଧାନ ନୁହେଁ, ଗଣତନ୍ତ୍ରରେ ବିଚାର ବିମର୍ଷ ଆଲୋଚନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏହି ବନ୍ଦ ଦ୍ବାରା ଭାରତବର୍ଷର ଅର୍ଥନୀତିକୁ ଦୁର୍ବଳ କରିବାକୁ ଯୋଜନା କରାଯାଉଛି। ଭାରତବର୍ଷକୁ ୫୦ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସ ଶାସନ କରିଛି ସେଥିରେ ବାମ ଦଳ ମାନଙ୍କର ଯୋଗଦାନ ମଧ୍ୟ ରହିଛି। ଉଭୟ ଦଳ ଭାରତବର୍ଷକୁ ଦୁର୍ବଳ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ଏବେ କ୍ଷମତା ବାହାରେ ଥିବାରୁ ଯେକୌଣସି ମତେ ଦେଶକୁ ଦୁର୍ବଳ କରିବାର ପ୍ରୟାସ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି ।