ଭୁବନେଶ୍ବର:ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଖରିଫ ଫସଲର ପରିଚାଳନା ଏବଂ ସୁରକ୍ଷା ନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଇଛି । ଆବଶ୍ୟକ ସ୍ଥଳେ ବିକଳ୍ପ ଫସଲ ଚାଷ ନିମନ୍ତେ ପଦକ୍ଷେପ ନିଆଯିବ । ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ଏ ଦିଗରେ ପୂର୍ବ ପ୍ରସ୍ତୁତି ସହିତ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚଳିତ ଖରିଫରେ ବିକଳ୍ପ ଚାଷର କଣ୍ଟିଜେନସି ପ୍ଲାନ୍ ଅଗଷ୍ଟ ୨୨ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିପର୍ଯ୍ୟୟ ପରିଚାଳନାର ମାର୍ଗଦର୍ଶିକାକୁ ଅନୁପାଳନ ସମେତ ବନ୍ୟା ପରିସ୍ଥିତିରେ ଚାଷୀମାନେ କଣ କରିବେ ଓ କଣ କରିବେ ନାହିଁ । ସେ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଚାଷୀମାନଙ୍କୁ ଫସଲର ସୁରକ୍ଷା ନିମନ୍ତେ ଧାନଜମିରୁ ଜଳକୁ ତୁରନ୍ତ ନିଷ୍କାସନ ବ୍ୟବସ୍ଥା କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୃଷକମାନଙ୍କ ନିମନ୍ତେ ଫସଲ ପରିଚାଳନା ପରାମର୍ଶ ଜାରି କରାଯାଇଛି । ଏ ଗୁଡ଼ିକୁ ଚାଷୀମାନଙ୍କୁ ତୁରନ୍ତ ଅବଗତ କରାଇବା ପାଇଁ କ୍ଷେତ୍ର କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆଡ୍ଭାଇଜରୀ ଜାରି କରାଯାଇଛି । ଧାନ ସହିତ ମକା, ଡାଲି ଜାତୀୟ ଫସଲ, ଚିନାବାଦାମ ଓ କପା ଫସଲର ସୁରକ୍ଷା ଦିଗରେ ଚାଷୀମାନଙ୍କୁ ବିସ୍ତୃତ ଭାବରେ ପରାମର୍ଶ ଦିଆଯାଉଛି ।